Unknown

 

 

 

 

 

 

 

 

 

 

 

ସିଂହ

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

(୧)

 

ସିଂହକୁ 'ପଶୁରାଜ' କୁହାଯାଏ ।

 

ସିଂହଠାରୁ ଖୁବ ବଡ଼ ଜନ୍ତୁ ବହୁତ ଅଛନ୍ତି । ତା’ଠାରୁ ବେଶି ବଳୁଆ ଜୀବ ବି ବଣରେ ରହିଛନ୍ତି । ତଥାପି ସିଂହ ସେମାନଙ୍କର ରାଜା ହେଲା କାହିଁକି?

 

ସିଂହର ଚେହେରା ରାଜାମାନଙ୍କ ଚେହେରା ପରି ଗମ୍ଭୀର । ଯେତେ ବଡ଼ ବଳୁଆ ଜୀବ ହେଉ ପଛକେ, ସିଂହ ଗର୍ଜନ ଶୁଣିଲେ ସେ ନିଶ୍ଚୟ ଛାନିଆ ହୋଇପଡ଼ିବ । ସିଂହ ଆଖିରେ ଏପରି ତେଜ ଅଛି, ତାକୁ ଯେ ଚାହିଁଦେବ, ସେ ଯେତେ ସାହସୀ ହେଉ ନା କାହିଁକି, ତା’ ରକ୍ତ ପାଣି ହୋଇଯିବ । ବୋଧହୁଏ ଏଇଥିପାଇଁ ସିଂହ ସବୁ ଜନ୍ତୁଙ୍କର ରାଜା ବୋଲି ଉପାଧି ପାଇଛି ।

 

ଆଗେ ପୃଥିବୀର ବହୁତ ଆଡ଼େ ସିଂହ ଥିଲେ । କ୍ରମେ କ୍ରମେ ସେମାନଙ୍କ ବଂଶ ବୁଡ଼ି ଆସିଲାଣି । ଏବେ କେବଳ ଆଫ୍ରିକା ଦେଶର ଜଙ୍ଗଲରେ ଏବଂ ଆମ ଭାରତବର୍ଷର କାଠିଆବାଡ଼ ଅଞ୍ଚଳର ବଣରେ ସିଂହ ଦେଖାଯାଆନ୍ତି ।

 

ପଣ୍ଡିତମାନେ କହନ୍ତି, ଆଗେ ଆମ ଦେଶର ପ୍ରାୟ ସବୁଆଡ଼ ଜଙ୍ଗଲରେ ସିଂହ ଥିଲେ । ଲୋକେ ଶିକାର କରି ସେମାନଙ୍କୁ ମାରି ପକାଇଲେ । ତେଣୁ, ଅନେକଆଡ଼ୁ ସିଂହ ଆସ୍ତେ ଆସ୍ତେ ଲୋପ ପାଇଆସିଲେ ।

 

ରାଜପୁତନାରେ ଜୁନାଗଡ଼ ବୋଲି ଗୋଟିଏ ଅଞ୍ଚଳ ଅଛି । ସେହି ଅଞ୍ଚଳରେ ଗିର ଜଙ୍ଗଲରେ ଆଜିକାଲି ସିଂହ ଦେଖାଯାଆନ୍ତି । ୧୯୧୩ ମସିହାରେ ଜୁନାଗଡ଼ର ରାଜା ନାନା ଉପାୟରେ ବଣରେ ଥିବା ସିଂହମାନଙ୍କର ହିସାବ କରାଇଥିଲେ । ଜଣାଗଲା ଯେ, କେବଳ ଆଠଗୋଟି ସିଂହ ସେଠାରେ ଅଛନ୍ତି । ସେ ଆଠଟିକୁ ମାରିଦେଲେ, ଆମ ଦେଶରୁ ଏକାବେଳକେ ସିଂହବଂଶ ଲୋପ ପାଇଯିବ । ତେଣୁ ସେ ଆଇନ କରି ସିଂହ ଶିକାର ବନ୍ଦ କରିଦେଲେ ।

 

ତେଇଶ ବର୍ଷ ପରେ ପୁଣି ସିଂହ ଗଣାଗଣିର ବ୍ୟବସ୍ଥା ହେଲା । ସେତେବେଳେ ଜଣାଗଲା, ସେ ବଣରେ ତିନିଶହ ପର୍ଯ୍ୟନ୍ତ ସିଂହ ହେଲେଣି ।

 

ଆଫ୍ରିକା ଜଙ୍ଗଲରେ ବହୁତ ସିଂହ ଅଛନ୍ତି । ଲୋକେ ସେଠାରୁ କଳକୌଶଳରେ ସିଂହ ଧରି ସର୍କସବାଲାଙ୍କୁ ବିକନ୍ତି; ନାନା ଦେଶର ଚିଡ଼ିଆଖାନାକୁ ପଠାନ୍ତି ।

 

ସେଠାରେ ଜଣେ ଲୋକ ତ କେବଳ ସିଂହ ବ୍ୟବସାୟ ଚଳାଇଛନ୍ତି । ବଣ ଜଙ୍ଗଲର ଚାରିପଟେ ଖୁବ୍‍ ଉଚ୍ଚରେ ଲୁହାର ଜାଲିବାଡ଼ ଘେରାଯାଇଛି; ତା’ ଭିତରେ କେତେକ ସିଂହ ଥାଆନ୍ତି-। ସେମାନଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଏ । ପାଣି ପିଇବା ପାଇଁ ବଣ ଭିତରେ ପୋଖରୀ ଖୋଳାଯାଇଛି । ସିଂହ ସବୁ ସେଠାରେ ମନଖୁସିରେ ଚଳନ୍ତି । ସେମାନଙ୍କର ଛୁଆ ହେଲେ ବେପାରୀ ତାହା ସର୍କସବାଲାଙ୍କୁ ବିକିଦିଅନ୍ତି । ଗୋଟିଏ ଗୋଟିଏ ସିଂହ ଛୁଆର ଦାମ୍‍ ଦଶହଜାରରୁ ପନ୍ଦରହଜାର ଟଙ୍କାଯାଏ ହୁଏ ।

 

ସାଧାରଣତଃ ସିଂହ ତିରିଶ ବର୍ଷରୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ଗୋଡ଼ ପାଦଠାରୁ ପିଠି ପଯ୍ୟନ୍ତ ସିଂହ ଅଢ଼େଇ ହାତ ଯାଏ ଉଚ୍ଚ ହୁଏ । ମୁହଁର ନାକଠାରୁ ଲାଙ୍ଗୁଡ଼ ଶେଷ ଯାଏ ସାତ ହାତ ଲମ୍ବ ହୋଇଥାଏ । ଅଣ୍ଡିରା ସିଂହ ବେକର ଚାରିପାଖେ ବହୁତଗୁଡ଼ାଏ ଲମ୍ବା ବାଳ ଥାଏ । ଏହାକୁ ‘‘କେଶର’’ କହନ୍ତି । ମାଈ ସିଂହ ବେକରେ କେଶର ନ ଥାଏ । ସିଂହ ରାଗିଗଲେ ଏହି କେଶର ସବୁ ଫୁଲିଉଠେ; ସେତେବେଳେ ସେ ଖୁବ୍‍ ଭୟଙ୍କର ଦେଖାଯାଏ ।

 

ସିଂହ ସବୁ ନିବିଡ଼ ଜଙ୍ଗଲରେ ଏବଂ ପାହାଡ଼ ଗୁମ୍ପା ମାନଙ୍କରେ ରହନ୍ତି । ଦିନଯାକ ସେମାନେ ଶୋଇଥାନ୍ତି; ରାତି ହେଲେ ଶିକାର ଖୋଜି ବାହାରନ୍ତି । ସାଧାରଣତଃ ଦୁଇଟି ଲେଖାଏଁ ସିଂହ ସାଙ୍ଗ ହୋଇ ବୁଲନ୍ତି । କେବେକେବେ ତିନୋଟି ସିଂହ ଏକାଠି ବୁଲୁଥିବାର ଦେଖାଯାଏ । ଗୋଟିଏ ରାଜା, ଆଉ ଦୁଇଟି ରାଣୀ । ଆଫ୍ରିକା ଜଙ୍ଗଲରେ ସମୟ ସମୟରେ ଦଳ ବାନ୍ଧି ବହୁତଗୁଡ଼ିଏ ସିଂହ ଏକତ୍ର ବୁଲୁଥିବାର ଦେଖାଯାଇଛି ।

 

ରାଣୀସିଂହ ଥରକେ ଦୁଇ ତିନୋଟି ଛୁଆ ଜନ୍ମ କରେ । ଆମେ ଦେଖିଛେ, ବିଲେଇଛୁଆ ଜନ୍ମ ହେଲାବେଳେ ତା’ର ଆଖି ଫିଟି ନ ଥାଏ । ସିଂହଛୁଆ ସେହିପରି ଜନ୍ମ ବେଳେ ଅନ୍ଧ ଥାଏ, କିଛି ଦିନ ଗଲେ ତା’ ଆଖି ଫିଟେ । ମା’ ସିଂହ ତାକୁ ସବୁବେଳେ ପାଖରେ ରଖି ଜଗିଥାଏ । ବାପ ବଣ ଭିତରୁ ଜୀବଜନ୍ତୁ ମାରି ଆଣି ସେମାନଙ୍କୁ ଖାଇବାକୁ ଦିଏ । ଛୁଆ ବଡ଼ ହୋଇଗଲେ ମା’ ବାପଙ୍କଠାରୁ ଅଲଗା ହୋଇଯାଆନ୍ତି ।

 

(୨)

 

ସିଂହ ହିଂସ୍ରଜନ୍ତୁ–ମଣିଷ, ପଶୁ ପ୍ରଭୃତି ମାରି ଖାଏ । ତଥାପି ତା’ ହୃଦୟରେ ଦୟା ଅଛି ।

 

ଆମର ଭାଗବତରେ ଅଛି–

 

‘‘ଦଣ୍ଡିବା ଶକ୍ତି ଯାର ଥାଇ,

ସେ ପୁଣି କ୍ଷମା ଆଚରଇ ।’’

 

ସିଂହ କାହା ଉପରେ ଖୁସି ହୋଇଗଲେ ବା କୌଣସି ଡରକୁଳା ଜନ୍ତୁକୁ ଦେଖିଲେ, ତାକୁ ମାରେ ନାହିଁ ।

 

ଗୋଟିଏ ସର୍କସ ଦଳରେ ବଡ଼ ସିଂହଟାଏ ପିଞ୍ଜରାରେ ଥିଲା । ପ୍ରତିଦିନ ଗୋଟାଏ ଲେଖାଏଁ ଷଣ୍ଢ ତାକୁ ଖାଇବାକୁ ଦିଆଯାଏ । ଦିନେ ସେ ପିଞ୍ଜରାପାଖରେ ଗୋଟିଏ ମେଢ଼ୀ କୁକୁର ବୁଲୁଥିଲା । ସର୍କସର ଲୋକେ ସେ କୁକୁରଟାକୁ ଧରିଆଣି ପିଞ୍ଜରା ଭିତରେ ପୁରାଇଦେଲେ । ସିଂହ ଗୋଟାଏ ଜୀଅନ୍ତା କୁକୁରକୁ କିପରି ମାରିବ, ସେଇ କଉତୁକ ଦେଖିବାକୁ ଠିଆହୋଇ ରହିଲେ ।

 

ସିଂହ ପିଞ୍ଜରା ଭିତରେ ଶୋଇଥିଲା । ପାଖରେ କୁକୁରକୁ ଦେଖି ଧଡ଼ପଡ଼ ହୋଇ ଉଠି ଠିଆ ହେଲା । କେଶରଯାକ ଝାଡ଼ି ଫୁଲାଇଦେଲା । ଆଖି ଦୁଇଟା ସତେ ଯେପରି ଜଳୁଛି ।

 

ଏହା ଦେଖି କୁକୁରର ପିଳେଇ ପାଣି ହୋଇଗଲା । ଆଗରେ ସାକ୍ଷାତ ଯମ ! ସେ ଆଉ ସିଂହ ଆଡ଼କୁ ଚାହିଁପାରିଲା ନାହିଁ, ଭୟରେ ଗୋଟାସୁଦ୍ଧା ଥରିବାକୁ ଲାଗିଲା । ଲାଙ୍ଗୁଡ଼ଟି ପଛ ଦୁଇ ଗୋଡ଼ ସନ୍ଧିରେ ଜାକି ଦେଇଥାଏ । ପାଟିରୁ ଶବ୍ଦ ବାହାରୁ ନ ଥାଏ । ଅତି ବିକଳରେ ବୋବାଉଥାଏ–କେଁ ଏଁ ।

 

ସିଂହ କୁକୁରର ଏ ଅବସ୍ଥା ଦେଖିଲା । ତା’ ମନରେ ଦୟା ହେଲା । ସେ ଥରେ କୁକୁର ମୁହଁରେ ମୁହଁ ଲଗାଇ ଶୁଙ୍ଘି ଦେଲା । ତା’ପରେ ଯାଇ ନିଜ ଶୋଇବା ସ୍ଥାନରେ ଶୋଇପଡ଼ିଲା ।

 

କେତେକ ସମୟ ଗଲା; ସିଂହ କିଛି ନ କରିବାରୁ କୁକୁରର ସାହସ ବଢ଼ିଲା । ସେ ମନରେ ଟିକିଏ ଦମ୍ଭ ଧଇଲା; ସିଂହ ମୁଁହକୁ ଚାହିଁଲା । ସିଂହ ତାକୁ ଥରେ ଚାହିଁ ପୁଣି ଥିର୍‍ କରି ଆଖି ବୁଜିଦେଲା ।

 

ସେହି ଦିନୁ ସେ ପିଞ୍ଜରାରେ ସିଂହ ଓ କୁକୁର ସାଙ୍ଗ ହୋଇ ରହିଲେ । ସିଂହକୁ ଯାହା ଖାଇବାକୁ ଦିଆଯାଏ, କୁକୁର ସେଥିରୁ ଭାଗ ପାଏ । ସିଂହ କୁକୁରକୁ ଚାଟେ; କୁକୁର ବି ସିଂହକୁ ଚାଟେ । ସେ ଶୋଇଥିଲା ବେଳେ ତା’ଉପରେ ଚଢ଼ି କୁଦି ହୁଏ । ଦୁହେଁଯାକ ମନକୁ ମନ କେତେ ଖେଳନ୍ତି ।

 

ଦିନେ କି ଦୁଇ ଦିନ ନୁହେଁ, ତିନି ବର୍ଷଯାଏ ସେମାନେ ଏହିପରି ଏକାଠି ଥିଲେ । କୁକୁରଟା କ୍ରମେ ରୋଗିଣା ହୋଇଗଲା, କିଛି ଖାଇଲା ନାହିଁ–କେବଳ ଗୋଟିଏ ସ୍ଥାନରେ ପଡ଼ିରହିଲା । ସିଂହ ସବୁବେଳେ ତାକୁ ଚ।ଟୁଥାଏ, ତା’ ପାଖରେ ଜଗି ରହିଥାଏ ।

 

କୁକୁରଟି ଦିନେ ମରିଗଲା । ଲୋକେ ପିଞ୍ଜରାରୁ ତାକୁ ବାହାର କରି ନେଇ ଫୋପାଡ଼ି ଦେଲେ । କୁକୁରକୁ ନ ଦେଖି ସିଂହ ଅଥୟ ହେଲା, କିଛି ଖାଇଲା ନ।ହିଁ । ଯେତେ ଯାହା ଉପାୟ ହେଲା, କୌଣସିଥିରେ ତା’ ମନ ବଦଳିଲା ନାହିଁ ।

 

ଲୋକେ ଆଉ ଗୋଟାଏ କୁକୁର ପିଞ୍ଜରା ମଧ୍ୟରେ ପୁରାଇ ଦେଲେ । ସିଂହ ରାଗରେ ତାକୁ କାମୁଡ଼ି ଟିକିଟିକି କରି ପକାଇଲା ।

 

କୁକୁରକୁ ଝୁରିଝୁରି ଶେଷରେ ସିଂହଟି ମରିଗଲା ।

 

(୩)

 

ଆଗେ ଲୋକମାନେ କିଣାବିକା ହେଉଥିଲେ । ଯାହାର ବେଶୀ ପଇସା ଥାଏ, ସେ ବଜାରରୁ ଚାକର ଚାକରାଣୀ କିଣି ଆଣେ । ସେମାନଙ୍କୁ ଘରେ ରଖି ନିଜ କାମ କରାଏ । ସେମାନଙ୍କୁ ମାଡ଼ ଦିଏ, ତାଙ୍କ ଉପରେ ଅତ୍ୟାଚାର କରେ । ଯେତେ କଷ୍ଟ ହେଲେ ବି ସେ ଚାକର ଚାକରାଣୀ ତା’ ଘରୁ ପଳାଇ ଯାଇପାରିବେ ନାହିଁ । ପଳାଇଗଲେ ତାଙ୍କୁ ଧରି ଆଣି ଜୀବନରେ ମାରିପକାଇବା ନିୟମ ଥିଲା ।

ଜଣେ ଲୋକ ଗୋଟିଏ ଚାକର କିଣି ଆଣିଥିଲା । ତା’ ନାମ ଆନ୍ଦ୍ରୋକ୍ଳିସ । ସେ ଖାଉନ୍ଦର ସବୁ କାମ କରେ; ତଥାପି ଖାଉନ୍ଦ ତାକୁ ଭଲକରି ମୁଠାଏ ଖାଇବାକୁ ଦିଏ ନାହିଁ, ଯେତେବେଳେ ଇଚ୍ଛା ସେତେବେଳେ ମାଡ଼ ଲଗାଏ ।

ଏ ଅତ୍ୟାଚାର କ୍ରମେ ଖୁବ୍‍ ବଢ଼ିଲା । ଆନ୍ଦ୍ରୋକ୍ଳିସ ଆଉ ସହିପାରିଲା ନାହିଁ । ଦିନେ ରାତିରେ ଲୁଚି ଘରୁ ପଳାଇଗଲା ।

ସେ ଜାଣେ, ଧରାପଡ଼ିଲେ ନିଶ୍ଚୟ ମରିବ । ତେଣୁ ଯେପରି ଧରା ନ ପଡ଼ିବ, ସେଇଥିଲାଗି ନିବିଡ଼ ବଣ ଭିତରକୁ ଚାଲିଗଲା ।

ବଣ ଭିତରେ ଭୋକ ଉପାସରେ କେତେ ଦିନ ବୁଲିଲା । ବୁଲୁ ବୁଲୁ ଗୋଟାଏ ପାହାଡ଼ ଗୁମ୍ଫା ଦେଖିଲା, ତାହାରି ଭିତରେ ଲୁଚି ରହିବ ବୋଲି ଭାବି ଭିତରକୁ ପଶିଗଲା । ମାତ୍ର ଭିତରେ ଯାହା ଦେଖିଲା, ସେଥିରେ ତା’ ଆଖି ଖୋସି ହୋଇପଡ଼ିଲା ।

 

ଗୋଟାଏ ବଡ ସିଂହ ସେଠାରେ ଶୋଇଛି । ସିଂହ ମୁହଁ ଟେକି ମଣିଷକୁ ଚାହିଁଲା; ମାତ୍ର ଉଠି ଆସିଲା ନାହିଁ କି କିଛି ରାଗ ଦେଖାଇଲା ନାହିଁ ।

 

ଆନ୍ଦ୍ରୋକ୍ଳିସର ଗୋଡ଼ ପଛକୁ ପଡ଼ିଲା ନାହିଁ କି ଆଗକୁ ଗଲା ନାହିଁ ।

 

ସେ ସେଠାରେ କିଛି ସମୟ ଠିଆ ହୋଇ ଦେଖିଲା, ସିଂହ ଆଗ ଗୋଡ଼ଟାଏ ପଦାକୁ ଲମ୍ବାଇ ଶୋଇଛି, ସେଇଟା ଫୁଲି ଯାଇଛି । କଷ୍ଟ ହେଉଛି କି କ’ଣ, ସିଂହ ବେଳେବେଳେ ମୁହଁ ବିକୃତ କରି ପକାଉଛି ।

 

ଆନ୍ଦ୍ରୋକ୍ଳିସ ମନରେ ସାହସ ବାନ୍ଧିଲା । ସେ ସେଠାରେ ବସି ପଡ଼ି ସିଂହର ସେ ଗୋଡ଼ଟା ଆସ୍ତେ ଟେକି ଧରିଲା । ଦେଖିଲା, ଗୋଟାଏ ବଡ଼ କଣ୍ଟା ପାଦତଳେ ଫୁଟିଛି; ତା’ କୋପରେ ଗୋଡ଼ରେ ଘା ହୋଇଛି, ପୁଜ ଜମିଛି ।

 

ଆନ୍ଦ୍ରୋକ୍ଳିସ ଅଣ୍ଟାରୁ ଛୁରୀ ବାହାର କଲା । ସିଂହ ପାଦରୁ ଆସ୍ତେ କଣ୍ଟାଟି କାଢ଼ିଦେଲା । ଦୁଇ ହାତରେ ଥିର୍‍ କରି ଘା ଚିପି ଦେବାରୁ ପୁଜତକ ବାହାରିଗଲା । ସିଂହକୁ ଆରାମ ଲାଗିଲା; ତା’ ମୁହଁରେ ଖୁସିର ଚିହ୍ନ ଦେଖାଗଲା ।

 

ପରଦିନ ସିଂହ ଉଠି ଚାଲବୁଲ କଲା । ଆନ୍ଦ୍ରୋକ୍ଳିସ ସେହି ଗୁମ୍ପାରେ ରହେ । ସିଂହ, ହରିଣ, ସମ୍ବର ଶିକାର କରି ଗୁମ୍ପାକୁ ଆଣେ; ଆନ୍ଦ୍ରୋକ୍ଳିସ ପାଖରେ ରଖିଦିଏ । ଆନ୍ଦ୍ରୋକ୍ଳିସ ଗୁମ୍ଫା ଭିତରେ ନିଆଁ ଲଗାଇ ତାକୁ ପୋଡ଼ି ଖାଏ । ଆଉ ପଦାକୁ ବାହାରେ ନାହିଁ ।

 

ଏହିପରି କେତେକ ଦିନ କଟିଗଲା । ଥରେ ଶିକାରୀମାନେ ବଣକୁ ଶିକାର କରିବାକୁ ଆସି ସିଂହକୁ ଜନ୍ତାରେ ଧଇଲେ; ତାକୁ ପିଞ୍ଜରା ଭିତରେ ପୂରାଇ ରଖି ପୋଷିଲେ ।

 

ସିଂହ ବନ୍ଦୀ ହେବାରୁ ଆନ୍ଦ୍ରୋକ୍ଳିସ ଆଉ କିଛି ଖାଇବାକୁ ପାଇଲା ନାହିଁ । ଶେଷକୁ ବାଧ୍ୟ ହୋଇ ଗୁମ୍ଫା ଛାଡ଼ି ପଦାକୁ ଆସିଲା । ବଣ ଭିତରେ ଏଣେ ତେଣେ ବୁଲି ନିଜର ଖାଦ୍ୟ ସଂଗ୍ରହ କଲା ।

 

ପଦାରେ ବୁଲଚାଲ କରିବାରୁ ଆନ୍ଦ୍ରୋକ୍ଳିସ ଦିନେ ଧରା ପଡ଼ିଲା । ଲୋକେ ତାକୁ ବାନ୍ଧି ରାଜାଙ୍କ ପାଖକୁ ନେଇଗଲେ । କ୍ରୀତଦାସ ଆନ୍ଦ୍ରୋକ୍ଳିସ; ସେ ଲୁଚି ପଳାଇ ଯାଇଥିଲା । ନିୟମ ଅନୁସାରେ ତାକୁ ମାରିଦେବାର କଥା । ରାଜା ଆଦେଶ ଦେଲେ, ‘‘ଆନ୍ଦ୍ରୋକ୍ଳିସକୁ ସିଂହ ପିଞ୍ଜରାକୁ ପକାଇଦିଅ । ସିଂହ ତାକୁ କାମୁଡ଼ି ଖାଇଯିବ । ଜୀଅନ୍ତା ମଣିଷକୁ ସିଂହ ଖାଇବ, ସେ କିପରି ଛଟପଟ ହେବ–ତାହା ଦେଖିବା । ଏହିପରି ଛଟପଟ ହେବା ଦେଖିଲେ, ଚାକରମାନେ ଆଉ ଖାମିନ୍ଦ ଘର ଛାଡ଼ି ଲୁଚି ପଳାଇଯିବେ ନାହିଁ ।’’

 

ତାହା ହିଁ ହେଲା; ଗୋଟାଏ ଦିନ ଠିକ୍‍ କରାଗଲା । ଚାରିଆଡ଼େ ଡେଙ୍ଗୁରା ଦିଆଯାଇଥିବାରୁ ବହୁତ ଲୋକ ମଜା ଦେଖିବାକୁ ଆସି ରୁଣ୍ଡ ହେଲେ । ଠିକ୍‍ ସମୟରେ ରାଜା, ମନ୍ତ୍ରୀ ଓ ତାଙ୍କର ପାଖଲୋକ ଆସିଲେ । ଦୁଇ ଜଣ ଲୋକ ଆନ୍ଦ୍ରୋକ୍ଳିସର ହାତଗୋଡ଼ ବାନ୍ଧି ସେଠାକୁ ଆଣିଲେ ।

 

ମଝିରେ ଆସି ସିଂହ ପିଞ୍ଜରା ରଖାହେଲା । ସେତେବେଳକୁ ଦୁଇ ଦିନ ହେଲା ସିଂହକୁ ଖାଇବାକୁ ଦିଆଯାଇ ନ ଥାଏ । ଖୁବ୍‍ ଭୋକ କରୁଥିବାବେଳେ ଆନ୍ଦ୍ରୋକ୍ଳିସ୍‍କୁ ତା’ ପାଖକୁ ଛାଡ଼ିଦିଆଯିବ ବୋଲି କଥା ହୋଇଥାଏ ।

 

ପିଞ୍ଜରା ଚାରିଆଡ଼େ ଲୋକ ରୁଣ୍ଡ ହୋଇଛନ୍ତି । ଗୋଟାଏ ମଣିଷକୁ ସିଂହ ଖାଇବ; କେଉଁ ଜାଗା ଆଗ କାମୁଡ଼ିବ, ମଣିଷ କ’ଣ କରିବ–ଏ କଉତୁକ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି-। ସେହି ସମୟରେ ପିଞ୍ଜରାର କବାଟ ଫିଟିଲା । ଆନ୍ଦ୍ରୋକ୍ଲିସର ହାତଗୋଡ଼ର ବନ୍ଧନ ଫିଟାଇ ତାକୁ ପିଞ୍ଜରା ଭିତରକୁ ଠେଲି ଦିଆଗଲା । ପୁଣି କବାଟ ବନ୍ଦ ହୋଇଗଲା ।

 

ଦୁଇ ଦିନ ଉପାସରେ ସିଂହ ତାତି ରହିଥିଲା । ସେଥିରେ ପୁଣି ସେ ଦେଖୁଛି, ତା’ ଚାରିପାଖରେ ଅସଂଖ୍ୟ ମଣିଷ; ଅଥଚ ଗୋଟିକୁ ହେଲେ ସେ ଖାଇପାରୁ ନାହିଁ । ରାଗରେ ତା’ ଦେହ ଜଳୁଥାଏ । ବେକର କେଶରକୁ ଫୁଲାଇଦେଇ ସେ ଗର୍ଜନ ଛାଡ଼ୁଥାଏ । ଥରକୁ ଥର ଜିଭରେ ଓଠକୁ ଚାଟି ପକାଉଥାଏ ।

 

ଆନ୍ଦ୍ରୋକ୍ଳିସର ସେତେବେଳକୁ ଦେହରେ ଚେତା ନ ଥାଏ । ଆଗରେ ସାକ୍ଷାତ୍‍ ଯମ–ହିଂସ୍ର ପ୍ରାଣୀ ସିଂହ । ଏହି ମୁହୂର୍ତ୍ତରେ ତାକୁ ଟିକିଟିକି କରି ଖାଇଯିବ । ଯେଉଁ କଲବଲ ସେ କରିବ–ସେହି ଭୟରେ ଆନ୍ଦ୍ରୋକ୍ଳିସର ରକ୍ତ ଶୁଖି ଯାଉଥାଏ; ଆଖି ବୁଜିହୋଇ ପଡ଼ୁଥାଏ ।

 

ସିଂହ ଗୋଟାଏ ବଡ଼ ଗର୍ଜନ କରି କୁଦିପଡ଼ିଲା । ଭୟରେ ଲୋକଙ୍କ ଆଖିପତା ପଡ଼ିଗଲା । ମୁହୂର୍ତ୍ତକ ପରେ ସମସ୍ତେ ଆଖି ଫିଟାଇଲେ, ତାଙ୍କ ମଜାଦେଖା ବଦଳିଗଲା । ସମସ୍ତେ ଦେଖିଲେ, ଆନ୍ଦ୍ରୋକ୍ଳିସ ତଳେ ପଡ଼ି ଗୋଟାସୁଦ୍ଧା ଥରୁଛି; ସିଂହ ତାକୁ ଦାନ୍ତରେ କାମୁଡ଼ି ଟିକ୍‍ଟିକ୍‍ କରି ପକାଇବ କଅଣ, ଓଲଟି ତା’ ଦେହଯାକ ଚାଟୁଛି । ଆଗରେ ସେ ଭୟଙ୍କର ମୂର୍ତ୍ତି ଆଉ ନାହିଁ ।

 

ସିଂହକୁ ରଗାଇବା ପାଇଁ ଲୋକେ ପିଞ୍ଜରାରେ ବାଡ଼ି ପୂରାଇ ତାକୁ କେତେ କେଞ୍ଚିଲେ, କେତେ ଢେଲା ମାଇଲେ; ମାତ୍ର କିଛି ହେଲା ନାହିଁ ।

 

ଆନ୍ଦ୍ରୋକ୍ଳିସ ମଧ୍ୟ କିଛି ସମୟ ପଡ଼ି ରହି ଉଠି ବସିଲା । ସେ ସାହସ ବାନ୍ଧି ସିଂହ ଆଡ଼କୁ ଭଲକରି ଚାହିଁଲା । ସେତେବେଳେ ଜାଣିପାରିଲା ଯେ, ବଣରେ ଯେଉଁ ସିଂହ ଗୋଡ଼ରୁ ସେ କଣ୍ଟା କାଢ଼ି ଦେଇଥିଲା, ଏ ସେହି ସିଂହ ।

 

ସିଂହ ତା’ର ଉପକାରୀ ବନ୍ଧୁକୁ ଆଗରୁ ଚିହ୍ନିପାରିଥିଲା; ତେଣୁ ତା’ର କିଛି ହେଲେ କ୍ଷତି କଲା ନାହିଁ ।

 

(୪)

 

ଆଫ୍ରିକା ଜଙ୍ଗଲରେ ନାନାପ୍ରକାରର ଜୀବଜନ୍ତୁ ଥାଆନ୍ତି । ସେମାନଙ୍କୁ ଶିକାର କରିବାପାଇଁ ବହୁଆଡ଼ୁ ଅନେକଲୋକ ଆସନ୍ତି; ବର୍ଷବର୍ଷ ଧରି ଆଫ୍ରିକାର ବଣ ଜଙ୍ଗଲରେ ରହନ୍ତି ।

 

ଥରେ ଜଣେ ସାହେବ ଶିକାର କରିବାକୁ ଆଫ୍ରିକା ଜଙ୍ଗଲ ଭିତରେ ପଶିଲେ । ତାଙ୍କ ସାଙ୍ଗରେ ତିନି ଚାରି ଜଣ ଚାକର ଓ ଦୁଇ ଜଣ ସେହି ଦେଶର ନିଗ୍ରୋ ଲୋକ ଥାଆନ୍ତି । ଗୋଟାଏ ବଡ଼ ପୋଷା କୁକୁର ମଧ୍ୟ ତାଙ୍କ ସାଙ୍ଗେ ସାଙ୍ଗେ ଥାଏ । ମାସକ ପାଇଁ ଖାଇବା ଜିନିଷ, ପାଣି, ଲୁଗାପଟା, ତମ୍ବୁ ଓ ହାତହତିଆର ସେମାନଙ୍କ ପାଖରେ ରହିଥାଏ ।

 

ସେ ସାହେବ କିପରି ସିଂହ ମୁହଁରୁ ରକ୍ଷା ପାଇଥିଲେ, ତାହା ତାଙ୍କ ଜୀବନ ଚରିତରେ ଲେଖିଯାଇଛନ୍ତି । ସେ ଲେଖିଛନ୍ତି–

 

‘‘ପ୍ରଥମ ଦିନ ଆମ ଦଳ ବେଶ୍‍ ଫୁର୍ତ୍ତିରେ ବଣ ଭିତରେ ପଶିଲୁ । ଦୁଇ ଜଣ ତ ବଣୁଆ ଲୋକ ସାଙ୍ଗରେ ଥାଆନ୍ତି; ସେମାନେ ବାଟ କଢ଼ାଇ ନେଉଥାଆନ୍ତି । 'ବାଘା' କୁକୁର ମଧ୍ୟ ଆମ ଆଗେ ଆଗେ ଚାଲିଥାଏ ।

 

ଦିନଯାକ ବାଟ ଚାଲିଚାଲି ପ୍ରାୟ ପନ୍ଦର ମାଇଲ ଭିତରକୁ ପଶିଲୁ । ସନ୍ଧ୍ୟା ହେଲା–ରାତିରେ ବାଟ ଦିଶିବ ନାହିଁ, ବାଟ ଚାଲିବା ମଧ୍ୟ ନିରାପଦ ନୁହେଁ; ତେଣୁ ଗୋଟିଏ ପାହାଡ଼ ଉପରକୁ ଉଠି ସେଠାରେ ତମ୍ବୁ ପକାଇଲୁ । ପାହାଡ଼ ଉପରେ ଗଛଲତା କିଛି ନ ଥାଏ; ଚାରିଆଡ଼ ପରିଷ୍କାର । ତା’ର ଦୁଇ ପାଖରେ ପ୍ରାୟ ମାଇଲିଏ ଅନ୍ତରରେ ଆଉ ଦୁଇଟି ସେହିପରି ପାହ।ଡ଼ ମୁଣ୍ଡ ଟେକି ଠିଆ ହୋଇଥାଏ; ମାତ୍ର ସେଠାରେ ଗୁଡ଼ାଏ ଗଛଲତା ଥାଏ, ଜାଗାଟା ଅରମା ବୋଧ ହେଉଥାଏ । ତେଣୁ ଏହି ପାହାଡ଼ରେ ଆମ ତମ୍ବୁ ପଡ଼ିବା ଠିକ୍‍ ହେଲା ।

 

ଚାକର ରନ୍ଧାରନ୍ଧି କରିବାରେ ଲାଗିଗଲା । ମୁଁ ଆରାମ ଚଉକିରେ ବସି ବଣ ଭିତରକୁ ଚାହିଁ ରହିଥାଏ । ନିଗ୍ରୋ ଦୁଇ ଜଣ ବଣ ଭିତରକୁ ଶିକାର କରିବାକୁ ଯାଇଥାନ୍ତି । ହରିଣ କି ବାର୍‍ହା କିଛି ମାରି ନ ଆଣିଲେ ରାତିରେ ଏତେ ଲୋକ ଖାଇବେ କଅଣ ?

 

କିଛି ସମୟ ପରେ ନିଗ୍ରୋ ଦୁଇ ଜଣ ଫେରିଲେ । ସେମାନଙ୍କ ସାଙ୍ଗରେ ଆଉ ଚାରି ଜଣ ସେହି ବଣର ବଣୁଆ ଲୋକ ଥାଆନ୍ତି । ତାଙ୍କ ରୂପ ଭେକ ଦେଖି ମୋତେ ପ୍ରଥମେ ତ ଭୟ ଲାଗିଲା ।

 

ନିଗ୍ରୋ ଦୁଇ ଜଣ କହିଲେ, "ହଜୁର, ଆମେ ଗୋଟାଏ ବାର୍‍ହା ମାରି ଆଣିଛୁ । ବଣ ଭିତରେ ସିଂହ ଆମକୁ ଗୋଡ଼ାଇ ଥିଲା । ଏହି ଚାରିଜଣଙ୍କ ଯୋଗୁଁ ରକ୍ଷା ପାଇଯାଇଛୁ । ସେଇଥିପାଇଁ ଏମାନଙ୍କୁ ସାଙ୍ଗରେ ଧରି ଆଣିଛୁ ।"

 

ମୁଁ ସେ ଲୋକଙ୍କୁ ଦେଖି ଟିକିଏ ଡରି ଯାଇଥିଲି । ଚଞ୍ଚଳ ସେମାନଙ୍କୁ ପାଖରୁ ବିଦା କରିଦେବା ପାଇଁ ଗୋଟାଏ କୌଶଳ କଲି । ନିଗ୍ରୋ ଦୁଇଟିଙ୍କୁ କହିଲି, ‘‘ସେ ବାର୍‍ହାର ଗୋଡ଼ ଚାରିଟା ଏ ଚାରିଜଣଙ୍କୁ ଦେଇଦିଅ ।’’

 

ନିଗ୍ରୋ ଦୁଇଟି ବାର୍‍ହାର ଗୋଡ଼ କାଟିଆଣି ସେ ଚାରିଜଣଙ୍କୁ ଦେଲେ । ବିକଟ ଦାନ୍ତ ଦେଖାଇ ସେମାନେ ନିଜର ଆନନ୍ଦ ପ୍ରକାଶ କଲେ । ତା’ପରେ ସାଙ୍ଗେ ସାଙ୍ଗେ ଗୋଡ଼ ଚାରିଟାକୁ ସେହିପରି ପାଟିରେ ପୂରାଇ ଚୋବାଇ ଚୋବାଇ ସେଠାରୁ ଚାଲିଗଲେ ।

 

ମୁଁ ପଚାରିଲି–ଏମାନେ କ’ଣ ରାକ୍ଷସ ?

 

ନିଗ୍ରୋ ଦୁହେଁ ଉତ୍ତର ଦେଲେ–‘‘ନାଁ ହଜୁର, ଏ ବଣ ଭିତରେ ଠାଏଠାଏ ରାକ୍ଷସ ଅଛନ୍ତି; ସେମାନେ ମଣିଷକୁ ମଧ୍ୟ ଖାଇଯାଆନ୍ତି । ମାତ୍ର ଏମାନେ କଞ୍ଚା ମାଂସ ଖାଇଲେ ବି ମଣିଷ ଖାଆନ୍ତି ନାହିଁ । ବଣ ଭିତରେ ବାଘ ସିଂହଙ୍କ ସାଙ୍ଗରେ ରହି ରହି ଏମାନଙ୍କର ସେହିଭଳି ସ୍ୱଭାବ ହୋଇଗଲାଣି ।’’

 

ଖାଇପିଇ ସମସ୍ତେ ଶୋଇଲେ । ମୁଁ ମଧ୍ୟ ତମ୍ବୁ ଭିତରେ ଯାଇ ଶୋଇଲି । ଆମ ତମ୍ବୁର ଚାରିପଟେ ଖଣ୍ଡେ ଦୂରରେ କାଠ ପତର ଜମାଇ ନିଆଁ ଲଗାଇ ଦିଆଯାଇଥାଏ । ସେ ନିଆଁ ହୁ ହୁ ଜଳୁଥାଏ । କୌଣସି ଜନ୍ତୁ ହଠାତ୍‍ ଆସି ଆମ ଉପରେ ଚଢ଼ାଉ କରିପାରିବ ନାହିଁ–ସେଇଥିପାଇଁ ଏ ବ୍ୟବସ୍ଥା ହୋଇଥାଏ ।

 

ଗରମ ଖୁବ ବେଶି; ମୋତେ ଜମା ନିଦ ହେଲା ନାହିଁ । ପ୍ରାୟ ରାତି ଗୋଟାଏ ହେବ, ମୁଁ ତମ୍ବୁ ଭିତରୁ ଆସି ପଦାରେ ଚଉକିରେ ବସିଲି । ହଠାତ୍‍ ଆଗରେ ଥିବା ପାହାଡ଼ ଉପରେ ଆଖି ପଡ଼ିଗଲା । ମୋତେ ଜଣାଗଲା, ସେଠାରେ ତିନି ଚାରୋଟି କ’ଣ ଜନ୍ତୁ ଖେଳୁଛନ୍ତି । ମୁଁ ତମ୍ବୁ ଭିତରୁ ବନ୍ଧୁକ ଓ ଦୂରବୀକ୍ଷଣ ଯନ୍ତ୍ର ଆଣି ପୁଣି ଚଉକିରେ ବସିଲି ।

 

ଦୂରବୀକ୍ଷଣ ଯନ୍ତ୍ର ଆଖିରେ ଲଗାଇ ଦେଖିଲି । ସେହି ସମୟରେ ନିଗ୍ରୋ ଚାକରଟି ପାଖକୁ ଆସି କହିଲା, "ହଜୁର, ସେ ପାହାଡ଼ରେ ସିଂହ ଘର । ସେଠାରେ ସିଂହଛୁଆ ଚାରୋଟି ଖେଳୁଛନ୍ତି । ବୋଧହୁଏ ପାଖରେ କେଉଁଠି ତାଙ୍କ ବାପ ମା’ ଅଛନ୍ତି । ସେମାନେ ବର୍ତ୍ତମାନ ପଦାକୁ ବାହାରିବେ; ହୁଏତ ଶିକାର ଖୋଜିବାକୁ ଯିବେ । ରାତି ପାହିଲାବେଳକୁ ଶିକାର ଆଣି ପୁଣି ଘରକୁ ଫେରିବେ ।"

 

ମୁଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେତେବେଳକୁ ସେ ସିଂହଛୁଆଙ୍କୁ ଭଲରୂପେ ଦେଖିପାରିଥିଲି–ଠିକ ମୋ ବାଘା କୁକୁରର ଉଚ୍ଚ ହେବେ ।

 

ସେହି ସମୟରେ ସେମାନଙ୍କ ମା’ ଆସି ସେଠାରେ ପହଞ୍ଚିଲା । ଛୁଆଙ୍କ ସହିତ କିଛି ବେଳ ଖେଳିଲା । କେତେକ ସମୟ ପରେ ଗୋଟାଏ ଗର୍ଜନ ଶୁଣାଗଲା । ସାଙ୍ଗେ ସାଙ୍ଗେ ବଡ଼ ସିଂହଟାଏ ଭିତରୁ ସେଠାକୁ ଆସିଗଲା । ତା’ ମୁଣ୍ଡର ବାଳସବୁ ଏପରି ଠିଆ ହୋଇଥାଏ ଯେ, ଖଜୁରୀ ଗଛ ଅଗ ପରି ତାହା ଦେଖା ଯାଉଥାଏ ।

 

ମୁଁ ଦେଖିଲି, ସିଂହଟା ଆମରି ନିଆଁ ଆଡ଼କୁ ଚାହିଁରହିଛି । ଶିକାରୀ ନିଗ୍ରୋଟି ମୋତେ କହିଲା, ‘‘ସିଂହ ଦୁଇଟା ବର୍ତ୍ତମାନ ଆମରି ପାଖକୁ ହିଁ ଆସିବେ । ରାତିକ ଭିତରେ ସେମାନେ ପନ୍ଦର ଷୋଳ ମାଇଲ ବାଟ ବୁଲି ଶିକାର ଆଣିପାରନ୍ତି । ଆମର ଏ ଯେ ନିଆଁ ଜଳୁଛି, ଏହା ହିଁ ଆମର କାଳ ହେଲା । ନିଆଁ ହେତୁ ଆମେ ଏଠାରେ ଥିବାର ସେ ଜାଣିପାରିଲା । ଆଉ, ଏ ନିଆଁ ଡେଇଁପଡ଼ିବା ତା’ ପକ୍ଷରେ ଅତି ସାମାନ୍ୟ କଥା ।

 

ମୁଁ ଏଣେ ନିଗ୍ରୋ କଥା ଶୁଣୁଥାଏଁ, ତେଣେ ଦୂରବୀକ୍ଷଣ ଯନ୍ତ୍ରରେ ସିଂହର ଗତିବିଧି ଦେଖୁଥାଏ ।

 

କିଛି ସମୟ ପରେ ସିଂହ ଓ ସିଂହୀ ନାଚିକୁଦି ପାହାଡ଼ ତଳକୁ ଓହ୍ଲାଇଲେ । ଛୁଆ ଚାରୋଟି ସେଠାରେ ଖେଳୁଥାଆନ୍ତି ।

 

ମୁଁ ଧରିନେଲି ଯେ, ଆମେ ଦଳଟିଯାକ ଆଜି ଏଠାରେ ସିଂହ ପେଟକୁ ଯିବୁ । ତଥାପି ଶେଷ ପର୍ଯ୍ୟନ୍ତ ତ ଚେଷ୍ଟା କରିବାକୁ ହେବ । ତେଣୁ ସମସ୍ତଙ୍କୁ ଉଠାଇ ବନ୍ଧୁକ ଧରି ଠିଆ ହେବାକୁ ଆଦେଶ ଦେଲି ।

 

କିଛି ସମୟ ପରେ ପୁଣି ସେ ପାହାଡ଼କୁ ଚାହିଁ ଦେଖିଲି, ଉପରେ ଛୁଆଗୁଡ଼ିକ ଖେଳୁଛନ୍ତି-। ତଳୁ ଦୁଇ ଜଣ ଲୋକ ହାମୁଡ଼େଇ ହାମୁଡ଼େଇ ଉପରକୁ ଉଠୁଛନ୍ତି । ମାତ୍ର ତେଣେ ବେଶୀ ସମୟ ଚାହିଁବାକୁ ବେଳ ନ ଥାଏ । ସିଂହ ଆସିଲେ କିପରି କଅଣ କରିବାକୁ ହେବ, ମୋ ଲୋକଙ୍କୁ ତାହା ବତାଇ ଦେଉଥାଏଁ ।

 

ଚାହିଁ ଚାହିଁ ରାତି ପ।ହିଲା; ମାତ୍ର ସିଂହର ଦେଖା ନାହିଁ । ଦିନ ହେବାରୁ ଆମେ ଟିକିଏ ଆଶ୍ୱସ୍ତ ହେଲୁ ।

 

ଲୁଗାପଟା ବନ୍ଧାବନ୍ଧି କରି ସେଠାରୁ ବାହାରୁଛୁ, ଏହି ସମୟରେ କ।ଲି ରାତିର ସେ ବଣୁଆ ଲୋକ ଦୁଇ ଜଣ ଆସିଲେ । ସେମାନଙ୍କ ହାତରେ ଗୋଟିଏ ସିଂହଛୁଆ । ସେଇଟିକୁ ସେ ମୋତେ ଉପହାର ଦେଲେ । ମୋ ଖାନ୍‍ସମା ଛୁଆଟିକୁ ଧରି କିଛି ଗୁଣ୍ଡ ଦୁଧ ଖୁଆଇଦେଲା । ତା’ପରେ ସିଂହଛୁଆ ଖାନ୍‍ସମାକୁ ଛାଡ଼ି ଆଉ କୁଆଡ଼େ ଯିବାକୁ ରାଜି ହେଲା ନାହିଁ ।

 

ବଣୁଆଙ୍କ କଥାରୁ ଜାଣିଲି, ସେମାନେ ଗଲା ଚାରି ପାଞ୍ଚ ଦିନ ହେବ ଏ ଛୁଆକୁ ଧରିବା ପାଇଁ ଚେଷ୍ଟା କରୁଥିଲେ । କାଲି ସୁଯୋଗ ମିଳିଗଲା । ସିଂହ ଓ ସିଂହୀ ଶିକାର ଖୋଜିବାକୁ ଚାଲିଗଲାରୁ ଏମାନେ ପାହାଡ଼ ଉପରକୁ ଚଢ଼ିଲେ । ଗୋଟାଏ ଛୁଆ ପଳାଇଗଲା, ଦୁଇଟାକୁ ଧରି ନ ପାରିବାରୁ ବର୍ଚ୍ଛାରେ ମାରି ପକାଇଛନ୍ତି; ବାକି ଏଇ ଗୋଟିଏ ଧରା ପଡ଼ିଲା ।

 

ସିଂହଛୁଆଟିକୁ ଦେଖି ମୁଁ ଭାରି ଖୁସି ହୋଇ ଯାଇଥିଲି; ତେଣୁ ଯତ୍ନରେ ରଖିବା ପାଇଁ ଖାନ୍‍ସମାକୁ ଆଦେଶ ଦେଲି ।

 

ନିଗ୍ରୋ ଚାକରଟି କହିଲା, "ହଜୁର, ସିଂହଛୁଆ ରଖିବା ମହାବିପଦ । ଯେତେ ଦୂରରେ ଯେଉଁଠାରେ ଥାଆନ୍ତୁ ପଛକେ, ତା’ର ବାପ ମା’ ନିଶ୍ଚୟ ଯାଇ ଚଢ଼ାଉ କରିବେ, ପ୍ରତିଶୋଧ ନେବେ" ।

 

ମୁଁ କିନ୍ତୁ ସେ କଥାରେ ବିଶ୍ୱାସ କଲି ନାହିଁ । ସିଂହଛୁଆଟିକୁ ସାଙ୍ଗରେ ଧରି ଆମେ ଆମର ଯାତ୍ରା ଆରମ୍ଭ କରିଦେଲୁ । ସେ ବଣୁଆଲୋକ ଦୁଇଜଣଙ୍କୁ କିଛି ବିସ୍କୁଟ୍‍ ପୁରସ୍କାର ଦେଲି ।

 

ସେଦିନ ମଧ୍ୟ ବଣ ଭିତରେ ପନ୍ଦର କୋଡ଼ିଏ ମାଇଲ ବାଟ ଚାଲିଲୁ । କେତେ ରକମର ଜୀବଜନ୍ତୁ ଦେଖିଲୁ, କେତେ ମଧ୍ୟ ମାଇଲୁ ।

 

ରାତି ହେବା ଆଗରୁ ଗୋଟିଏ ପରିଷ୍କାର ଉଚ୍ଚ ଜାଗାରେ ତମ୍ବୁ ପକାଇ ରହିଲୁ । ସେଦିନ ରାତିରେ ନିଗ୍ରୋ ଚାକର ଆସି କହିଲା, ‘‘ଏଠାରେ ବହୁତ ହରିଣ ଅଛନ୍ତି । ଚାରିଆଡ଼େ ସେମାନଙ୍କ ପାଦ ଚିହ୍ନ ଦେଖାଯାଉଛି । କାଲି ଦିନଟା ଏଠାରେ ରହି ହରିଣ ଶିକାର କରିବା ।’’

 

ରାତି ପାହାନ୍ତାରୁ ସମସ୍ତେ ଉଠି ହରିଣ ଶିକାରକୁ ବାହାରିଲୁ । ବହୁତଆଡ଼ ଖୋଜାଖୋଜି କଲୁ; କିନ୍ତୁ କେଉଁଠାରେ ହେଲେ ଗୋଟିଏ ହରିଣ ଦେଖିବାକୁ ପାଇଲୁ ନାହିଁ ।

 

କ୍ରମେ ରାତି ପାହିଆସିଲା । ଦୂରରେ ଗୋଟାଏ ଝରଣା ପାଖରେ ଗୁଡ଼ିଏ ହରିଣ ଦେଖାଗଲେ । ମୁଁ ଲୋକମାନଙ୍କୁ ସେ ଝରଣା ପାଖକୁ ପଠାଇଦେଲି । ସେମାନଙ୍କୁ କହିଲି, ସବୁଆଡ଼ ବାଟ ଜଗି ରହ; ଯେଉଁ ବାଟେ ହରିଣ ଦଳ ଫେରିବେ, ସେଠାରେ ତାଙ୍କୁ ମାରିବା । ଏ ପାଖ ବାଟ ମଧ୍ୟ ମୁଁ ଜଗି ରହିଛି ।

 

ମୋ ସାଙ୍ଗରେ ମୋ କୁକୁରଟା ବି ଥାଏ । ସେ ଭୋ ଭୋ ବୋବାଇ ଉଠିଲା । ତା’ ପାଟି ଶୁଣିଲେ ହରିଣ ଆସିବେ ନାହିଁ; ତେଣୁ ତାକୁ ଦୁଇ ତିନିବାର ଇସ୍‍ଇସ୍‍ କଲି; ମାତ୍ର ସେ ନ ଶୁଣିବାରୁ ଜୋରରେ ଗୋଟାଏ ଗୋଇଠା ପକାଇଲି । ତା’ ପେଟରେ ଗୋଇଠାଟା ବାଜିଲା । ତାକୁ ନିଶ୍ଚୟ ଭାରି କାଟିଥିବ । ସେ ମୁହୂର୍ତ୍ତେ କେଁ କେଁ ଶବ୍ଦକରି ଚୁପ୍‍ ହେଲା ।

 

ମୁଁ ହରିଣ ଆସିବା ବାଟ ଚାହିଁ ରହିଛି; ବାଁ ପାଖରୁ ଗୋଟାଏ ମସ୍ତବଡ଼ ସିଂହ ମୋ ଉପରକୁ କୁଦିପଡ଼ିଲା । ତା’ ପଞ୍ଝା ମାଡ଼ରେ ମୁଁ ତଳେ ପଡ଼ିଗଲି । ମୋ ହାତରୁ ବନ୍ଧୁକ ଛିଡ଼ିକି ଖଣ୍ଡଦୂରରେ ପଡ଼ିଲା । ସିଂହର ମୂର୍ତ୍ତି ଦେଖି ମୋ ରକ୍ତ ପାଣି ହୋଇଆସିଲା; ଆଖି ଫିଟାଇ ତାକୁ ଚାହିଁପାରିଲି ନାହିଁ ।

 

ମୋତେ ତା’ ପେଟତଳେ ରଖି ଚାରିପାଖରେ ଚାରି ଗୋଡ଼ ଦେଇ ସେ ଠିଆହେଲା । ତା’ପରେ କଅଣ ଭାବି ତା’ ଆଗ ଗୋଡ଼ ପଞ୍ଝାରେ ଖୁବ ଜୋରରେ ମୋତେ ଲେଉଟାଇ ପକାଇଲା-। ବିଲେଇ ତା’ ଛୁଆକୁ ଯେପରି ବେକରୁ କାମୁଡ଼ି ଧରି ନବା ଆଣିବା କରେ, ସେ ସେହିପରି ମୋ ବେକ କାମୁଡ଼ି ମୋତେ ଓହଳାଇ ବଣ ଭିତରକୁ ଚାଲିଗଲା । ତା’ ମୁନିଆଁ ଦାନ୍ତରେ ଜାମା ଫୁଟି ମୋ କାନ୍ଧ ମଧ୍ୟ ଫୁଟିଗଲା । ମୋତେ ଅସହ୍ୟ ଯନ୍ତ୍ରଣା ହେଉଥାଏ; ଝରଝର ରକ୍ତ ବି ଗଡ଼ି ପଡ଼ୁଥାଏ ।

 

କିଛି ବାଟ ଗଲା ପରେ ମୋତେ ପୁଣି ସେ ତଳେ ଶୁଆଇ ଦେଲା । ଚାରିପାଖରେ ଚାରି ଗୋଡ଼ ରଖି ଠିଆ ହୋଇ ରହିଲା । ମୁଁ ଠିକ୍‍ ତା’ ପେଟ ତଳେ ରହିଥାଏଁ ।

 

ମୁଁ ସ୍ଥିର ଜାଣିଲି ଯେ, ମୋ ଜୀବନ ଆଉ ଅଳ୍ପ ସମୟ ମାତ୍ର । ଏହି ବଣ ଭିତରେ ସମସ୍ତଙ୍କ ଅଜାଣତରେ ସିଂହ କାମୁଡ଼ାରେ ହିଁ ଛଟପଟ ହୋଇ ମରିବି । ଦୁନିଆରେ କେହି ମୋ ବିଷୟରେ କିଛି ଜାଣିପାରିବେ ନାହିଁ ।

 

ମୁଁ ପ୍ରଥମେ ତଳମୁହଁ। ହୋଇ ପଡ଼ିଥିଲି ସିଂହ ତା’ ଆଗ ଗୋଡ଼ ପଞ୍ଝାରେ ପୁଣି ମୋତେ ଓଲଟାଇ ପକାଇଲା । ମୁଁ ଚିତ୍‍ ହୋଇ ପଡ଼ିଲି ଓ ଏଥରକ ସିଂହ ମୁହଁକୁ ସାହସ କରି ଟିକିଏ ଚାହିଁଲି-

 

କ୍ରମେ ମୋ ଦେହ ଅବଶ ହୋଇ ଆସୁଥାଏ । ମୋର ହଠାତ୍‍ ମନେ ପଡ଼ିଗଲା, ମୋ ଅଣ୍ଟାରେ ଗୋଟାଏ ଛୁରା ଅଛି । ମୁଁ ସବୁବେଳେ ସେ ଦାଢ଼ୁଆ ଛୁରାଟି ମୋ ପାଖରେ ରଖିଥାଏ ।

 

ସିଂହ ସେହିପରି ଠିଆ ହୋଇ ଗୋଟାଏ ଗର୍ଜନ ଛାଡ଼ିଲା । କିଛି ସମୟ ଲାଙ୍ଗୁଡ଼ ପିଟିଲା; ପୁଣି ଗର୍ଜନ କଲା ।

 

ମୁଁ ଜାଣିଗଲି, ସିଂହ ଗର୍ଜନ କରି ତା’ ସାଙ୍ଗକୁ ଡାକୁଛି । ସେ ଏକା ମୋତେ ଖାଇବ ନାହିଁ; ଦୁହେଁଯାକ ସାଙ୍ଗ ହୋଇ ଖାଇବେ ।

 

ତିନି ଥର ସେ ଗର୍ଜନ କଲା । ଆଖପାଖରେ ବଜ୍ର ପଡ଼ି ଘଡ଼ଘଡ଼ି ମାଇଲେ ଯେପରି ଶବ୍ଦ ହୁଏ, ମୋ କାନପାଖରେ ସିଂହ ଗର୍ଜନ ଠିକ୍‍ ସେହିପରି ଜଣାଯାଉଥାଏ । ପ୍ରତିଥର ଗର୍ଜନରେ ମୋ ଦେହରୁ ପ୍ରାଣ ଛାଡ଼ିଗଲା ପରି ଲାଗୁଥାଏ ।

 

ତଥାପି ସାହସ ବାନ୍ଧିଲି । ଖାଇବି ହାତରେ ଆସ୍ତେ ଅଣ୍ଟାରୁ ଛୁରାଟି ବାହାର କରି ଆଣିଲି । ଖୁବ ଦୃଢ଼ଭାବରେ ଧରିଥାଏ ।

 

ସିଂହ ଅଳ୍ପ ସମୟ ଅପେକ୍ଷା କରି ପୁଣି ଗର୍ଜନ କରିବାକୁ ଆରମ୍ଭ କଲା । ସେ ଗର୍ଜନ କଲାବେଳେ ଉପରକୁ ମୁହଁ ଟେକୁଥାଏ । ଏଥରକ ମୁହଁ ଉପରକୁ ଟେକିଲା ମାତ୍ରକେ ମୁଁ ଛୁରାଟା ଖୁବ୍‍ ଜୋରରେ ତା’ ଛାତିରେ ଭୁଷିଦେଲି । ଛୁରାଟି ବେଣ୍ଟ ପର୍ଯ୍ୟନ୍ତ ତା’ ଦେହ ଭିତରକୁ ଗଳିଗଲା ।

 

ତା’ ଗର୍ଜନ ସେହିଠାରେ ରହିଗଲା । ଆଶ୍ଚର୍ଯ୍ୟର କଥା, ସିଂହଟା ସେଠାରେ ପଡ଼ିଲା ନାହିଁ କି ମୋତେ ଆଉ କୌଣସି ପ୍ରକାରେ ଆଘାତ କଲା ନାହିଁ । ମୋ ଉପରୁ ଡେଇଁପଡ଼ି ଆଗକୁ ଚାଲିଗଲା । ତା’ପରେ ବାଁ ପାଖରେ ଥିବା ଗୋଟାଏ ବୁଦା ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା ।

 

ମୋର ଉଠିବାକୁ ଶକ୍ତି ନ ଥାଏ । ସେହି ସମୟରେ ଅଳ୍ପ ଦୂରରେ ପୁଣି ସିଂହ ଗର୍ଜନ ଶୁଣାଗଲା । ମୁଁ ଜାଣିଲି ଯେ, ସିଂହର ଗର୍ଜନ ଶୁଣି ସିଂହୀ ଆସିଗଲା । ମୁଁ ତରତର ହୋଇ ଉଠି ପାଖରେ ଥିବା ଗଛ ଉପରେ ଚଢ଼ିଗଲି । ଗୋଟାଏ ଡାଳରେ ପେଟେଇ ପଡ଼ିଲି ।

 

ମୋ କୁକୁରଟା କୁଆଡ଼ୁ ଆସି ସେ ଗଛମୂଳେ ବସିଥାଏ । ମୁଁ ତାକୁ ବହୁତ ଥର ହୁରୁଡ଼ାଇଲି; ମାତ୍ର ସେ ସେଠାରୁ ଜମା ଗଲା ନାହିଁ । ମୁଁ ରାଗରେ ଗୋଡ଼ରୁ ପଟେ ଜୋତା ଫିଟାଇ ତା’ ଉପରକୁ ଫୋପାଡ଼ିଲି । ସେ ଜୋତା ମାଡ଼ ଖାଇ ଟିକିଏ ଘୁଞ୍ଚିଗଲା, ପୁଣି ଆସି ଗଛମୂଳେ ବସିଲା ।

 

ଚାହୁଁ ଚାହୁଁ ସିଂହୀ ଆସି ସେଠାରେ ପହଞ୍ଚିଗଲା, ଗଛମୂଳେ ଓ ପାଖଆଖ ଜାଗା ଆଗ ଶୁଙ୍ଘି ପକାଇଲା । ତା’ପରେ ଶୁଙ୍ଘି ସେ ବୁଦାଆଡ଼କୁ ଗଲା । ମୁଁ ଗଛରୁ ଚାହିଁ ଦେଖୁଥାଏଁ, ବୁଦା ଭିତରେ ଅଳ୍ପ ଦୂରରେ ସିଂହଟା ପଡ଼ିଛି–ବୋଧହୁଏ ମରିଗଲାଣି । ସିଂହୀ ତା’ ପାଖକୁ ଯାଇ ତାକୁ ଶୁଙ୍ଘିଲା, ମୁହଁରେ ବହୁତ ଠେଲାଠେଲି କଲା । ଶେଷକୁ ପୁଣି ଗର୍ଜନ ଛାଡ଼ି ଗଛ ମୂଳକୁ ଦଉଡ଼ି ଆସିଲା ।

 

ସେ କେତେବେଳୁ ଦେଖିସାରିଲାଣି ଯେ, ମୁଁ ଗଛ ଡାଳରେ ବସିଛି । ମୋତେ ଧରିବା ପାଇଁ ସେ କୁଦା ମାଇଲା । ଡାଳ ପାଖରେ ପହଞ୍ଚିବାକୁ ଠିକ୍‍ ହାତେ ବାଟ ଅଛି, ତଳେ ବାଘା କୁକୁର ଭୋ ଭୋ ଗର୍ଜିଉଠିଲା । ସିଂହୀଟା ଲାଥୁ କରି ତଳେ ପଡ଼ିଗଲା । ରାଗରେ କୁକୁରକୁ କାମୁଡ଼ିବାକୁ ଗୋଡ଼ାଇଲା; ମାତ୍ର କୁକୁର ଦଉଡ଼ି ପଳାଇଗଲା ।

 

ଟିକିଏ ସମୟ ଗଛମୂଳେ ବସି ସିଂହୀ ପୁଣି କୁଦା ମାଇଲା । ସେତେବେଳେ ମଧ୍ୟ ବାଘା ତାକୁ ସେହିପରି ବାଧା ଦେଲା । ସିଂହୀ ଏଣେ ମୋତେ ଧରିପାରୁ ନ ଥାଏ, କି ତେଣେ ବାଘାକୁ ମାରିପାରୁ ନ ଥାଏ । ଥରେ ଉପରକୁ କୁଦା ମାରେ, ଥରେ ବାଘା ପଛରେ ଗୋଡ଼ାଏ–ଏହିପରି ଦୁଇ ଘଣ୍ଟାଯାଏ ଚାଲିଥାଏ ।

 

ସେତେବେଳକୁ ପ୍ରାୟ ଦିନ ଦଶଟା ସମୟ ହେବ । ମୋ ଦଳର ଲୋକେ ମୋତେ ଖୋଜି ଖୋଜି ସେଠାରେ ଆସି ପହଞ୍ଚିଲେ । ବାଘାର ଭୋ ଭୋ ଶବ୍ଦରେ ସେମାନେ ମୋ ରହିବା ଜାଗା ଜାଣିପାରିଥିଲେ ।

 

ସେମାନଙ୍କ ହାତରେ ବନ୍ଧୁକ ଥିଲା । ତିନି ଦିଗରୁ ତିନି ଜଣ ଏକାବେଳେକେ ଗୁଳି କଲେ । ଥରେ ମାତ୍ର ଗର୍ଜନ କରିବାକୁ ସିଂହୀ ସମୟ ପାଇଲା ନାହିଁ । ସାଙ୍ଗେ ସାଙ୍ଗେ ଗଛମୂଳେ ପଡ଼ିଗଲା । ଅଳ୍ପ ସମୟ ବାଡ଼େଇପିଟି ହେଲା, ତା’ପରେ ସବୁ ଶେଷ ।

 

ସମସ୍ତେ ମୋତେ ଧରାଧରି କରି ଗଛରୁ ଓହ୍ଲାଇ ଆଣିଲେ । ନିଗ୍ରୋ ଚାକରଟି ବଣ ଭିତରୁ କଅଣ ସବୁ ଗଛର ପତ୍ର ଆଣି ଛେଚି ମୋ କାନ୍ଧ ଘାଆରେ ଲଗାଇଦେଲା ।

 

ସେହି ମଧ୍ୟ ଚିହ୍ନିପାରି କହିଲା, ‘‘ହଜୁର, ଯେଉଁ ସିଂହଛୁଆ ଆମ ସାଙ୍ଗରେ ଅଛି, ଏ ଦୁହେଁ ତା’ର ବାପ ମା । ସେଦିନ ପାହାଡ଼ରେ ଏହିମାନଙ୍କୁ ହିଁ ମୁଁ ଦେଖିଥିଲି ।’’

 

ମୋ ବାଘା କୁକୁର ଯୋଗୁଁ ହିଁ ମୁଁ ସେ ଦିନ ସିଂହମୁହଁରୁ ରକ୍ଷା ପାଇଥିଲି–ଏକଥା ଜୀବନରେ କଦାପି ଭୁଲିପାରିବି ନାହିଁ ।

 

(୫)

 

ଆଫ୍ରିକା ଦେଶରେ ରେଳ ରାସ୍ତା ପଡ଼ିଲାବେଳେ ବିଭିନ୍ନ ଦେଶରୁ ବହୁତ ଲୋକ ସେଠାକୁ ଯାଇଥିଲେ । ପ୍ରତିଦିନ ହଜାର ହଜାର କୁଲି ନାନାପ୍ରକାର ହତିଆର ସାଙ୍ଗରେ ନେଇ କାମକୁ ଯାଆନ୍ତି । ଜଙ୍ଗଲ ସଫା କରନ୍ତି । ତା’ ସାଙ୍ଗେସାଙ୍ଗେ କେତେ ବାଘ, ଭାଲୁ, ସାପ, ବାର୍‍ହା ଆଦି ପଶୁ ଯେ ମାରନ୍ତି, ତା’ର ଇୟତ୍ତା ନ ଥାଏ ।

 

ସେହି ସମୟରେ ଭନ୍‍ ଜୋହାନସବର୍ଗ ନାମରେ ଜଣେ ଇଞ୍ଜିନିୟର ସେଠାରେ କାମ କରୁଥାନ୍ତି । ସେ ବଡ଼ ଶିକାରୀ । ସେଠାରେ ରହିବା ସମୟ ମଧ୍ୟରେ ସେ ଅନେକ ବଡ଼ ବଡ଼ ବାଘ ଓ ଆଉ ସବୁ ଜନ୍ତୁ ମାରିଥିଲେ ।

 

ସେହି ଦେଶର ଜଣେ ବଡ଼ ସାହସୀ ଓ ବଳୁଆ ଲୋକକୁ ସେ ସବୁବେଳେ ପାଖରେ ରଖିଥିଲେ । ତା’ର ନାମ ଉଆମ୍ବା । ଉଆମ୍ବାର ଚେହେରା ଯେପରି ରାକ୍ଷସ ପରି, ସାହସ ମଧ୍ୟ ସେହିପରି ଅସୀମ । ଡର ଭୟ କଅଣ, ସେ ମୋଟେ ଜାଣେ ନାହିଁ । ବିନା ବନ୍ଧୁକରେ ସେ ତା’ ଜୀବନ କାଳ ଭିତରେ ପାଞ୍ଚ ସାତଟା ମହାବଳ ବାଘ ମାରି ପକାଇଥାଏ ।

 

ଥରେ ଜୋହାନସବର୍ଗ ସାହେବ ଉଆମ୍ବାକୁ ଡାକି କହିଲେ, "ଏଣିକି ଦୁଇ ଚାରିଟା ସିଂହ ଶିକାର କରିବାକୁ ମନ ହେଉଛି । ବାଘ ମାରି ମାରି ମନ ଛାଡ଼ିଗଲାଣି । ସିଂହ ଥିବା ବଣକୁ ମୋତେ ନେଇଯାଆନ୍ତୁ କି, ସିଂହ ଶିକାର କରନ୍ତି ।"

 

ଉଆମ୍ବା ଏହା ଶୁଣି ଜିଭ କାଢ଼ି ପକାଇଲା । କହିଲା, "ହଜୁର ସିଂହ ଶିକାର କରିବାକୁ ମନ ବଳାନ୍ତୁ ନାହିଁ । ସିଂହ ଏ ବାଘ ଭାଲୁଙ୍କ ପରି ନୁହେଁ । ସେ ପଶୁମାନଙ୍କ ରାଜା; ତା’ର ବଳ ଯେତିକି, ସାହସ ବି ସେତିକି; ଗଉଁ ମଧ୍ୟ କମ୍‍ ନୁହେଁ । ମୁଁ ନିଜେ ଥରେ ସିଂହ ହାବୁଡ଼ରେ ପଡ଼ିଥିଲି-। ଶୁଣନ୍ତୁ ସେ କଥା ଜଣେ ସାହେବ ମୋତେ ପାଖରେ ରଖିଥିଲେ । ତାଙ୍କ ସାଙ୍ଗରେ ବଣକୁ ମୁଁ ଶିକାର କରିବାକୁ ଯାଇଥିଲି ।

 

ସିଂହ ଜେବ୍ରା ପଶୁକୁ ଖାଇବାକୁ ଖୁବ ଭଲପାଏ । ଜେବ୍ରା ଭାରି ତ ଦଉଡ଼ିପାରେ । ସିଂହ ତାକୁ ଛକି ରହିଥାଏ । ସୁଯୋଗ ପାଇଲେ ତା’ ଉପରକୁ କୁଦିପଡ଼ି ପିଠି ଉପରେ ବସେ । ବେକମୂଳ କାମୁଡ଼ି ମନମଉଜରେ ରକ୍ତ ପିଇବାରେ ଲାଗିଯାଏ । ଜେବ୍ରା ପ୍ରାଣବିକଳରେ ତିନି ଚାରି ମାଇଲ ବାଟ ପବନ ବେଗରେ ଦଉଡ଼ିଯାଏ । ସିଂହ ମନମଉଜରେ ‘ଘୋଡସୱ।ର’ ଥାଏ ଏବଂ ନିଜର ହୋଇ ଭୋକ ଶୋଷ ମାରୁଥାଏ । ଯେତେବେଳେ ଜେବ୍ରା ଦେହରୁ ବାରପଣ ରକ୍ତ ଶେଷ ହୋଇଯାଏ; ସେତେବେଳେ ସେ ତଳେ ପଡ଼ିଯାଏ । ମନ ହେଲେ ସିଂହ ତା’ ମାଂସରୁ କିଛି ଖାଏ, ନହେଲେ ଛାଡ଼ି ଚାଲିଯାଏ ।

 

ସାହେବ ଓ ମୁଁ ବଣ ଭିତରେ ଯାଉଛୁ, ଦେଖିଲୁ ଗୋଟାଏ ଜେବ୍ରା ଖୁବ୍‍ ବେଗରେ ଦଉଡ଼ୁଛି । ତା’ ଗତିବିଧିରୁ ମୁଁ ଜାଣିପାରିଲି ଯେ, ସେ ଜୀବନ ଭୟରେ ଧାଉଁଛି । ତା’ ପଛରେ ନିଶ୍ଚୟ ସିଂହ ଗୋଡ଼ାଇଛି । ସାହେବଙ୍କୁ ହଠାତ୍‍ ଗଛ ଉପରେ ଚଢ଼ିଯିବାକୁ କହିଦେଲି ଓ ମୁଁ ସାଙ୍ଗେ ସାଙ୍ଗେ ଗୋଟିଏ ଗଛ ଉପରକୁ ଚଢ଼ିଗଲି । ମାତ୍ର ସାହେବଙ୍କର ତ ଶିକାର କରିବା ଝୁଙ୍କ ଲାଗିଥାଏ-। ସେ ସାଙ୍ଗେ ସାଙ୍ଗେ ଜେବ୍ରାକୁ ଗୁଳି କଲେ । ଜେବ୍ରା ଦେହରେ ବାଜୁ ନ ବାଜୁଣୁ ଗୋଟାଏ ମସ୍ତବଡ଼ ସିଂହ ବୁଦା ଗହଳି ଭିତରୁ ବାହାରିପଡ଼ିଲା । ତାକୁ ଦେଖି ସାହେବଙ୍କ ପିଳେହି ପାଣି-। ତାଙ୍କ ହାତରୁ ଯେ ଖାଲି ବନ୍ଧୁକ ଖସିପଡ଼ିଲା, ସେତିକି ନୁହେଁ; ସାହେବ ବି ଭୟରେ ଗଛ କାଟିଲା ପରି ତଳେ ପଡ଼ିଗଲେ । ସାଙ୍ଗେସାଙ୍ଗେ ବେହୋସ ।

 

ସିଂହ ସାହେବଙ୍କ ଉପରକୁ କୁଦି ପଡ଼ିଥିଲା; ମାତ୍ର ସାହେବ ଏପରି ପଡ଼ିଯିବାରୁ ବୋଧହୁଏ ତା’ ମନ ଫିକା ପଡ଼ିଗଲା । ସେ ଥରେ ସାହେବଙ୍କ ସର୍ବାଙ୍ଗ ଶୁଙ୍ଘି ଦେଇଗଲା, ତା’ପରେ ଠିଆହୋଇ ସାହେବଙ୍କ ଆଡ଼କୁ କଟମଟ କରି କିଛି ସମୟ ଚାହିଁଲା । ତା’ ମୁହଁରୁ ଜଣାପଡ଼ୁଥିଲା, ସତେ ଯେପରି ସେ କହୁଛି, 'ଛି ! ଏଇ ତ ବୀରତ୍ୱ !'

 

ଖାଲି ସେତିକି ନୁହେଁ । ସିଂହ ତ ସେଠାରୁ ବଣକୁ ଚାଲିଗଲା । ସାହେବ ଗୁଳିରେ ମାରିଥିବା ସେ ଜେବ୍ରାଟାକୁ ବି ଖାଇଲା ନାହିଁ । ଥରେ କେବଳ ତା’ ଆଡ଼କୁ ଚାହିଁଦେଇ ବଣ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ସେହିଦିନଠାରୁ ସେ ସାହେବ ଆଉ କେବେ ସିଂହ ଶିକାର କରିବାକୁ ମନ ବଳାଇ ନ ଥିଲେ ।

 

ଉଆମ୍ବାଠାରୁ ଏ ଗପ ଶୁଣିଲେ, ତଥାପି ଜୋହାନ୍‍ସବର୍ଗଙ୍କର ସିଂହ ଶିକାର ନିଶା ଗଲା ନାହିଁ । ସୁବିଧା ପାଇଲେ ସିଂହ ଶିକାର କରିବାକୁ ଯିବେ ବୋଲି ଠିକ୍‍ ହେଲା ।

 

ଦିନେ ଜୋହାନ୍‍ସବର୍ଗ ଖବର ପାଇଲେ ଯେ, ବଣ ଭିତରେ ଥିବା ଗୋଟାଏ ଗାଁ ଭିତରକୁ ମଝିରେ ମଝିରେ ସିଂହ ଆସେ । ସେ ଗାଁରୁ ମଣିଷ, ପଶୁ ପ୍ରଭୁତି ମାରି ଖାଏ । ସାହେବ ଉଆମ୍ବାକୁ ସାଙ୍ଗରେ ଧରି ବଣର ସେହି ଗାଁକୁ ଗଲେ । ସାହେବ ଭଲ ବନ୍ଧୁକ ଓ ବହୁତ ଗୁଳି ସାଙ୍ଗରେ ନେଇଥାଆନ୍ତି । ଉଆମ୍ବା ସାହେବଙ୍କୁ ନ ଜଣାଇ ଦୁଇଟା ପାହାଡ଼ ଫଟା ବୋମା ନିଜ ବକ୍‍ସ ଭିତରେ ପୂରାଇ ନେଇଯାଇଥାଏ ।

 

ଗାଆଁଟା ନିବିଡ଼ ବଣ ଭିତରେ ଗୋଟାଏ ପାହାଡ଼ ତଳେ । ଲୋକେ ସ।ହେବଙ୍କୁ ଦେଖି ବଡ଼ ଖୁସି ହୋଇଗଲେ । ଗାଁ ଠାରୁ ଖଣ୍ଡେଦୂରରେ ପାହାଡ଼ମୂଳରେ ସିଂହ ଶିକାର କରିବା ଠିକ୍‍ ହେଲା । ଗୋଟିଏ ଗଛ ଉପରେ ମଞ୍ଚା ବାନ୍ଧି ସାହେବ ବସିଲେ । କିଛି ଦୂରରେ ଆଉ ଗୋଟିଏ ଗଛ ଉପରେ ମଞ୍ଚାରେ ଉଆମ୍ବା ରହିଲା । ସେ ଗାଆଁର କେତେକ ସାହସୀ ଲୋକ ମଧ୍ୟ ଆଖପାଖ ଗଛ ଉପରେ ବସିରହିଲେ । ତଳେ ଗୋଟିଏ ବଡ଼ ଷଣ୍ଢ ବନ୍ଧା ହୋଇଥାଏ । ତାକୁ ଖାଇବା ପାଇଁ ସିଂହ ଆସିଲେ, ସାହେବ ଗୁଳି କରିବେ ବୋଲି ଠିକ୍‍ ହୋଇଥାଏ ।

 

କ୍ରମେ ରାତି ଦୁଇ ପହର ହେଲା । ବଣରେ ଏତେ ମଶା ଯେ, ସାହେବ ଥୟ ହୋଇ ବସିପାରୁନାହାନ୍ତି । ତଥାପି ସ୍ୱରଶବ୍ଦ ନ କରି ସବୁ କଷ୍ଟ ସହି ବସିଥାଆନ୍ତି । ଏକଧ୍ୟାନରେ ଷଣ୍ଢ ବନ୍ଧା ହୋଇଥିବା ଜାଗାକୁ ଚାହିଁ ରହିଥାଆନ୍ତି ।

 

ବସି ବସି ଟିକିଏ ଛାଇଦିନ ଲାଗିଆସିଛି; ତଳୁ ଖେଁ ଖାଁ ଶବ୍ଦ ଶୁଣାଗଲା । ସାହେବ ଚମକି ପଡ଼ି ଆଖି ଫିଟାଇଲେ । ଚାହିଁ ଦେଖିଲେ, ଗୁଡ଼ାଏ ଗଧିଆ ସେ ଷଣ୍ଢ ପାଖରେ ରୁଣ୍ଡ ହୋଇଛନ୍ତି; ନିଜ ଭିତରେ କଳି ଲଗାଇ କାମୁଡ଼ା କାମୁଡ଼ି ହେଉଛନ୍ତି ।

 

ସାହେବ ଗୁଳି କରିବେ ବୋଲି ଠିକ୍‍ କଲେ; ମାତ୍ର ମନରେ ଭାବିଲେ, ବନ୍ଧୁକ ଶବ୍ଦ ଶୁଣିଲେ ସିଂହ ହୁଏତ ଆସିବ ନାହିଁ । ଯଦି ଗୁଳି ନ କରିବେ, ତେବେ ଏତେଗୁଡ଼ାଏ ଗଧିଆ ଦୁଇ ତିନି ଘଣ୍ଟା ଭିତରେ ଷଣ୍ଢଟାକୁ ମାରି ଖାଇଯିବେ । ଏଠାରେ ଉପାୟ କଅଣ ?

 

ଏହିପରି ଭାବୁଥାଆନ୍ତି, ଅଳ୍ପ ଦୂରରେ ଗୋଟାଏ ଗର୍ଜନ ଶୁଭିଲା । ଗଧିଆଗୁଡ଼ାକ ସେ ସ୍ଥାନ ଛାଡ଼ିଦେଇ ଏକଧ୍ୟାନରେ ସେହି ଆଡ଼କୁ ଚାହିଁ ରହିଲେ । ମୁହୂର୍ତ୍ତକ ପରେ କିଏ କୁଆଡ଼େ ପଳାଇଗଲେ ।

 

ସାହେବ ଦେଖିଲେ, ସାଙ୍ଗେ ସାଙ୍ଗେ ଗୋଟାଏ ମସ୍ତ ବଡ଼ ସିଂହ ଆସି ଷଣ୍ଢ ଉପରକୁ କୁଦି ପଡ଼ିଲା । ମୁହଁରେ ଷଣ୍ଢ ବେକ ମୂଳ କାମୁଡ଼ି ରକ୍ତ ପିଇଲା । ସେତେବେଳେ ତା’ ବେକର କେଶରସବୁ ଫୁଲି ଉଠିଥାଏ, ଆଖି ଦୁଇଟା ଟର୍ଚ୍ଚବତୀ ପରି ଜଳୁଥାଏ ।

 

ସାହେବ ଗୁଳି କରିବାକୁ ବନ୍ଧୁକ ଉଠାଉଚନ୍ତି, ଏହି ସମୟରେ ପୁଣି ଗୋଟାଏ ଗର୍ଜନ ଶୁଣାଗଲା । ସାହେବ ଚମକି ପଡ଼ି ବନ୍ଧୁକରୁ ଆଖି ଫେରାଇ ତଳକୁ ଚାହିଁଲେ । ଦେଖିଲେ, ଆଉ ଗୋଟାଏ ସିଂହ ଆସି ହଜାର । ଛୋଟ ପିଲା ସ୍କୁଲରେ 'ନୀଲ ଡାଉନ ' ହୋଇ ବସିଲା ପରି ଆଗ ଆସିଥିବା ସିଂହ ପାଖରେ ସେ ବସିରହିଛି ।

 

ସାହେବ କଅଣ କରିବେ ଭାବୁଛନ୍ତି–ଗର୍ଜନ କରି ପୁଣି ଗୋଟାଏ ସିଂହ ଆସି ପହଞ୍ଚିଗଲା ।

 

ପ୍ରାୟ ଅଧଘଣ୍ଟାକ ଭିତରେ ତା’ ପଛକୁ ତା’ ପଛ ଲାଗି ଦଶଟା ସିଂହ ସେଠାକୁ ଆସିଲେ-। ଷଣ୍ଢର ଚାରିପାଖରେ ଘେରି ସମସ୍ତେ ବସିପଡ଼ିଲେ । ସେତେବେଳକୁ ସାହେବଙ୍କ ହାତ ଅଚଳ ହୋଇଗଲାଣି । ଦେହରୁ ଗମଗମ ଝାଳ ନିଗିଡ଼ି ପଡ଼ୁଛି ।

 

ପ୍ରଥମେ ଯେଉଁ ବଡ଼ ସିଂହଟା ଆସିଥିଲା, ସେ ଷଣ୍ଢର ମୁଣ୍ଡଟାକୁ ଏକାଥରକେ ଦାନ୍ତରେ ଝୁଣି ଛିଡ଼ାଇ ପକାଇଲ। । ତାକୁ କାମୁଡ଼ି ପାଟିରେ ଧରି ବଣ ଭିତରକୁ ଚାଲିଗଲା । ତା’ପରେ ଷଣ୍ଢ ଦେହରୁ ପୁଳାଏ ମାଂସ ଛିଡ଼ାଇ ଆଉ ଗୋଟାଏ ସିଂହ ସେହିପରି ଚାଲିଗଲା । ଗୋଟିକ ପରେ ଗୋଟିଏ ପାଞ୍ଚୋଟି ସିଂହ ପୁଳାଏ ପୁଳାଏ ମାଂସ ନେଇଗଲେ । ତା’ପରେ ଦେଖିଲାବେଳକୁ ଷଣ୍ଢର ଆଉ ଚିହ୍ନ ବର୍ଣ୍ଣ ନାହିଁ । ସେ ସ୍ଥାନଟା ଖାଲି । କିନ୍ତୁ ପାଞ୍ଚୋଟି ସିଂହ ପୂର୍ବ ପରି ସେଠାରେ ବସିଛନ୍ତି ।

 

ସାହେବ ଆଖି ବୁଲାଉ ବୁଲାଉ ଦେଖିଲେ, ଗୋଟାଏ ସିଂହ ଏକଧ୍ୟାନରେ ଗଛ ଉପରକୁ ଚାହିଁରହିଛି । ବୋଧହୁଏ ବାସନା ବାରି ସେ କେତେବେଳୁ ଉପରକୁ ଚାହିଁ ସାହେବଙ୍କୁ ଦେଖିସାରିଲାଣି । ସାହେବଙ୍କ ଆଖି ତା’ ଆଖି ଉପରେ ପଡ଼ିବାକ୍ଷଣି ସାହେବଙ୍କ ଦେହର ରକ୍ତ ବରଫ ପରି ଥଣ୍ଡା ହୋଇଗଲା । ସର୍ବାଙ୍ଗ ଥରଥର କମ୍ପିବାକୁ ଲାଗିଲା । ସାହେବ ଆଖି ବୁଜିଦେଇ ପାରିଲେ ନାହିଁ କି ସିଂହାଠାରୁ ଆଖି ଫେରାଇ ନେଇପାରିଲେ ନାହିଁ । ତାଙ୍କୁ ବୋଧହେଲା–ତଳେ ବସିଥିବା ପାଞ୍ଚଟାଯାକ ସିଂହ ଯେପରି କି ଏକାବେଳକେ ତାଙ୍କୁ ଚାହିଁ ରହିଛନ୍ତି । ଓଃ, କି ଭୀଷଣ ! ସେ ଆଖିର ଜ୍ୟୋତି କି ଭୟଙ୍କର !

 

ଗୋଟାଏ ସିଂହ ତଳୁ ଗଛ ଉପରକୁ ଖୁବ୍‍ ଜୋରରେ କୁଦାମାରିଲା । ଠିକ୍‍ ସେହି ସମୟରେ ବଣ ଭୂଇଁ ଫଟାଇ, ଆକାଶ କମ୍ପାଇ ଗୋଟାଏ ଅତି ପ୍ରବଳ ଗର୍ଜନ ହେଲା । ସାହେବ ଅଜ୍ଞାନ ହୋଇ ତଳେ ପଡ଼ିଗଲେ । ଚାହୁଁ ଚାହୁଁ ସିଂହଗୁଡ଼ାକ ବଣ ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ଉଆମ୍ବା ନିଜ ମଞ୍ଚାରୁ ଓହ୍ଲାଇ ଆସି ସାହେବଙ୍କ ମୁହଁରେ ପାଣି ଛାଟିଲା । ବହୁ ସେବାଶୁଶ୍ରୁଷା ପରେ ସାହେବଙ୍କର ଚେତନା ଆସିଲା । ଗାଆଁର ଲୋକେ ମଧ୍ୟ ଆସି ସେଠାରେ ପହଞ୍ଚିଗଲେ ।

 

ପ୍ରଥମେ ତ ସାହେବ କିଛି ବୁଝିପାରିଲେ ନାହିଁ । ତା’ପରେ ପୂର୍ବ ଜ୍ଞାନ ଫେରି ଆସିବାରୁ ଉଆମ୍ବାକୁ ପଚାରିଲେ, ‘‘ସିଂହ ମୁହଁରୁ ମୋତେ କିପରି ବଞ୍ଚାଇଲୁ ?’’

 

ଉଆମ୍ବା ଉତ୍ତର ଦେଲା ‘‘ମୁଁ ସାଙ୍ଗରେ ଦୁଇଟା ବଡ଼ ବୋମା ଆଣି ପାଖରେ ରଖିଥିଲି । ଯେତେବେଳେ ଦେଖିଲି, ଅବସ୍ଥା ଅତି ସାଙ୍ଘାତିକ, ସେତେବେଳେ ସେଇ ବୋମା ଦୁଇଟାକୁ ଏକାବେଳକେ ତଳକୁ ଫିଙ୍ଗିଦେଲି । ତାହା ଫୁଟିବାରୁ ଏ ବଣଜଙ୍ଗଲ କମ୍ପିଗଲା । ସିଂହଗୁଡ଼ାକ ଆଖିପିଛୁଳାକେ ପଳାଇଗଲେ ।’’

 

ଜୋହାନ୍‍ସବର୍ଗ ଆନନ୍ଦରେ ଉଆମ୍ବାକୁ କୁଣ୍ଢାଇ ପକାଇଲେ ।

 

(୬)

 

ଆମ ଭାରତବର୍ଷର କାଥିଆବାଡ଼ ଜଙ୍ଗଲରେ ଯେଉଁ ସିଂହ ଅଛନ୍ତି, ସେମାନେ ପୃଥିବୀର ସବୁ ସିଂହଙ୍କଠାରୁ ଦେଖିବାକୁ ସୁନ୍ଦର ଓ ଭାରି ବଳୁଆ । ସେହି ଦେଶର ଗୋଟିଏ ସିଂହ ଲାଗି ଜଣେ ଲୋକ ନିଜ ଭାଗ୍ୟ ବଦଳାଇ ଦେଇ ପାରିଥିଲା ।

 

ମୋଗଲ ରାଜତ୍ୱ ସମୟରେ ସେ ଦେଶ ସ୍ୱାଧୀନ ଥିଲା । ମୋଗଲସମ୍ରାଟ ସେ ରାଜ୍ୟ ଦଖଲ କରିବାକୁ ସୈନ୍ୟ ପଠାଇଲେ । ରାଜା ନିଜେ ସେନାପତି ହୋଇ ନିଜ ସୈନ୍ୟ ପରିଚାଳନା କଲେ ।

 

ସେହି ସୈନ୍ୟମାନଙ୍କ ଭିତରେ ଦୁଲୀପ ରାୟ ବୋଲି ଜଣେ ସୈନ୍ୟ ଥିଲେ । ଅନ୍ୟ ସୈନ୍ୟଙ୍କ ଅପେକ୍ଷା ସେ ଟିକିଏ ଅଳସୁଆ ।

 

ଥରେ ସୈନ୍ୟବାହିନୀ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ବାଟରେ ବଣରେ ଅଳ୍ପ ସମୟ ପାଇଁ ବିଶ୍ରାମ ନେଇଥିଲେ । ସେତିକିବେଳେ ଦୁଲୀପ ରାୟ ଗାଢ଼ ନିଦରେ ଶୋଇପଡ଼ିଲେ । ଉଠି ଦେଖନ୍ତି ତ, ସୈନ୍ୟବାହିନୀ ସେ ସ୍ଥାନ ଛାଡ଼ି ଚାଲିଗଲେଣି । ତାଙ୍କ ନିଜର ଘୋଡ଼ାଟି ମଧ୍ୟ ନାହିଁ–ଫିଟି କୁଆଡ଼େ ପଳାଇ ଯାଇଛି ।

 

ଏହି ଦୋଷ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବାର କଥା । ମୃତ୍ୟୁଦଣ୍ଡ ଆଶଙ୍କାରେ ସେ ଆଉ ଯୁଦ୍ଧକ୍ଷେତ୍ରକୁ ଗଲେ ନାହିଁ । ଘୋଡ଼ା ନାହିଁ, କିପରି ବା ଯିବେ ? ଏଣେ ବାହାରେ ବୁଲୁ ବୁଲୁ ଧରାପଡ଼ିଲେ ରାଜାଙ୍କ ଲୋକେ ଧରି ନେଇଯିବେ । ତେଣୁ ସେ ଭାବି ଠିକ୍‍ କଲେ ଯେ, ସେ ବାବାଜୀ ହୋଇଯିବେ; ଗୀର୍ଣ୍ଣାର ପାହାଡ଼ ଗୁମ୍ଫାରେ ବସି ତପସ୍ୟା କରିବେ ।

 

ସେତେବେଳେ ସୈନ୍ୟମାନଙ୍କ ପାଖରେ ଗୋଟାଏ ଚମଦଉଡ଼ା ରହିଥାଏ । ସେହି ଦଉଡ଼ାର ଗୋଟାଏ ମୁଣ୍ଡରେ ଫାଶ ଥାଏ । ଶତ୍ରୁ କିମ୍ବା ବଣର କୌଣସି ପଶୁକୁ ଜବତ କରିବାକୁ ହେଲେ, ଦୂରରୁ ସେ ଦଉଡ଼ା ବୁଲାଇ ବୁଲାଇ ଫିଙ୍ଗି ଦେବାକୁ ହୁଏ । ଯାହାକୁ ଲକ୍ଷ୍ୟ କରି ଦଉଡ଼ା ପକାଯାଏ, ତା’ ବେକରେ ବା ଦେହର କୌଣସି ଅଙ୍ଗରେ ଫାଶଟା ଗଳିଗଲେ, ପକାଇବା ବ୍ୟକ୍ତି ଦଉଡ଼ା ଟାଣିଦିଏ । ଫାଶ ବାନ୍ଧି ହୋଇଗଲେ ସେ କାବୁ ହୋଇପଡ଼େ ।

 

ସେହି ଦଉଡ଼ାଟି ମାତ୍ର ସମ୍ବଳ କରି ଦୁଲୀପ ରାୟ ବଣ ଭିତରକୁ ପଶିଲେ । ତାଙ୍କର ଲକ୍ଷ୍ୟ, କିପରି ଗୀର୍ଣ୍ଣାର ପାହାଡ଼କୁ ଯିବେ । ସେଠାରେ ତପସ୍ୟା କରିବା ବାହାନାରେ ଲୁଚି ରହିବେ-

 

ସନ୍ଧ୍ୟାବେଳକୁ ସେ ପାହାଡ଼ ତଳେ ପହଞ୍ଚି ଯାଇଥିଲେ । ଅନ୍ଧାରରେ ଆଉ କୁଆଡ଼େ ଯିବା ନିରାପଦ ନୁହେଁ ଭାବି ସେହିଠାରେ ଗୋଟିଏ ବଡ଼ ଝଙ୍କାଳିଆ ଗଛ ଉପରେ ଚଢ଼ି ବସି ରହିଲେ ।

 

ରାତି ଅଧ ସରିକି ତଳେ ଖସ୍‍ଖସ୍‍ ଶବ୍ଦ ଶୁଣାଗଲା । ସେ ଚାହିଁ ଦେଖିଲେ ଯେ, ଗୋଟାଏ ମସ୍ତବଡ଼ ସିଂହ ତାଙ୍କ ଘୋଡ଼ାଟାକୁ ବେକରୁ କାମୁଡ଼ି ଧରି ଖୁବ ଜୋରରେ ଧାଇଁଛି–ବିଲେଇ ମୂଷାଟାଏ ମୁହଁରେ କାମୁଡ଼ି ଧରି ଯେପରି ଦଉଡ଼େ । କେବଳ ସେତିକି ନୁହେଁ, ତା’ ପଛେ ପଛେ ଆଉ ଗୋଟାଏ ସିଂହ ବି ରହିଛି ।

 

ଦୁଲୀପ ରାୟ ବସିଥିବା ଗଛତଳେ ସିଂହ ଘୋଡ଼ାଟାକୁ ରଖିଲା । ଦୁହେଁଯାକ ମନମଉଜରେ ତାକୁ ଖାଇବାରେ ଲାଗିଗଲେ ।

 

ଦୁଲୀପଙ୍କୁ ହଠାତ୍‍ ଗୋଟାଏ ବୁଦ୍ଧି ଦେଖାଗଲା । ସେ ଗଛ ଡାଳରେ ନିଜ ଦେହକୁ ଖୁବ୍‍ ଜୋରରେ ବାନ୍ଧିଦେଲେ । ତା’ପରେ ଦଉଡ଼ା ଫାଶକୁ ଏପରି ବୁଲାଇ ପକାଇଦେଲେ ଯେ, ଫାଶଟା ବଡ଼ ସିଂହ ବେକରେ ଗଳିଗଲା । ଉପରୁ ଟଣା ଯିବାରୁ ସାଙ୍ଗେ ସାଙ୍ଗେ ଫାଶଟା ଜାକି ହୋଇଗଲା-। ସିଂହ ଅଣନିଃଶ୍ଵାସୀ ହୋଇ ଗର୍ଜନ ଛାଡ଼ିଲା ଓ ବାଡ଼େଇକଚାଡ଼ି ହେଲା । ଅନ୍ୟ ସିଂହଟା ସାଙ୍ଗର ହଠାତ୍‍ ଏପରି ଅବସ୍ଥା ଦେଖି ଥକା ହୋଇଗଲା । ସେ ଆଉ ଖାଇବ କଅଣ ?

 

ବନ୍ଧନରେ ପଡ଼ିଥିବା ସିଂହଟା ମଧ୍ୟ ପ୍ରାଣବିକଳରେ ତାକୁ ଦୁଇ ଚାରି କାମୁଡ଼ା ଦେଲା ଓ ଆଗ ଗୋଡ଼ ପଞ୍ଝାରେ କେତୁଟା ପାହାର ବସାଇ ଦେଲା । ସେ ସିଂହ ମନରେ କଅଣ ଭାବି ସେଠାରୁ ଜୋରରେ ଦଉଡ଼ି ପଳାଇଗଲା । ବଡ଼ ସିଂହଟା ବହୁ ସମୟ ବାଡ଼େଇ କଚାଡ଼ି ହୋଇ ଆଲିଜା ଦେଇ ସେଠାରେ ପଡ଼ିରହିଲା ।

 

ରାତି ପାହିଲା, ଦୁଲୀପ ଗଛରୁ ଓହ୍ଲାଇ ପାଖ ଗାଁ ଭିତରକୁ ଗଲେ । ସେଠାରୁ କେତେକ ଲୋକଙ୍କୁ ଡାକିଆଣି ସିଂହର ଚାରି ଗୋଡ଼ ଭଲ ରୂପେ ବାନ୍ଧି ପକାଇଲେ । ଗାଡ଼ିରେ ଲଦି ରାଜନଅରକୁ ଆଣିଲେ ।

 

ରାଜା ସିଂହର ଏ ଦଶା ଦେଖି ଜାଣିଲେ ଯେ, ଦୁଲୀପଙ୍କର ସାହସ ଯେପରି, ବଳ ମଧ୍ୟ ସେହିପରି ଖୁବ୍‍ ବେଶୀ । ତାଙ୍କୁ ଆଉ ପ୍ରାଣଦଣ୍ଡ ଦେବେ କଅଣ; ସୈନ୍ୟର ବଡ଼ ପାହିଆରେ ରଖାଇ ଦେଲେ । ତାଙ୍କର ‘‘ରାୟ’’ ପଦବୀ ବଦଳାଇ ‘‘ସିଂହ’’ ଉପାଧି ଦେଲେ–କାରଣ ସେ ସିଂହକୁ କାବୁ କରି ପକାଇଛନ୍ତି ।

 

(୭)

 

ଡାକ୍ତର ଲିଭିଂଷ୍ଟୋନ ସାହେବ ନିଜ ଜୀବନଟାଯାକ ଦକ୍ଷିଣ ଆଫ୍ରିକା ଜଙ୍ଗଲରେ କଟାଇଥିଲେ । ଜଙ୍ଗଲ ଭିତରେ କେଉଁଠି କଅଣ ଅଛି, ସେଠା ମଣିଷ କିପରି, ପଶୁପକ୍ଷୀ କେତେ ରକମର ଅଛନ୍ତି–ଏହି ବିଷୟସବୁ ଜାଣିବାକୁ ସେ ବଣର ଅନ୍ଦିକନ୍ଦି ବୁଲୁଥିଲେ । ତାଙ୍କ ସଙ୍ଗରେ ସେହି ବଣର ଗୁଡ଼ିଏ ଚାକର ସବୁବେଳେ ରହିଥାନ୍ତି ।

 

ସାହେବ ଥରେ ବଣ ଭିତରେ ଗୋଟିଏ ପାହାଡ଼ ଉପରେ ଚଢ଼ୁଛନ୍ତି–ପଛକୁ ଚାହିଁ ଦେଖିଲେ ଯେ, ଗୋଟାଏ ମସ୍ତବଡ଼ ସିଂହ ତାଙ୍କୁ ଲକ୍ଷ୍ୟ କରି ଦଉଡ଼ୁଛି । ଆଉ କୁଆଡ଼େ ପଳାଇ ଯିବାର ଉପାୟ ନାହିଁ । ହାତରେ ଯେଉଁ ବନ୍ଧୁକ ଅଛି, ତାହା ଅତି ସାନ–ଚଢ଼େଇ ମାରିବା ବ୍ୟତୀତ ସେଥିରେ ଆଉ କିଛି ହେବ ନାହିଁ । ସିଂହ ଆସି ଅଳ୍ପ ଦୂରରେ ହୋଇଗଲାଣି । ସେ ସ୍ଥିର ଜାଣିଗଲେ ଯେ, ଏଇ ମୁହୂର୍ତ୍ତରେ ହିଁ ସିଂହ ପେଟ ତାଙ୍କ ଘର ହେବ ।

 

ସାହେବ ଆଗକୁ ଚାହିଁ ଦେଖିଲେ; ପାହାଡ଼ ଦେହରେ ଗୋଟାଏ ବଡ଼ ଖାଲ ଅଛି । ଖାଲଟା ଏତେ ଗହୀର ଯେ, ତା’ର ତଳ ଦେଖାଯାଉନାହିଁ । ସେ ସେଇଠାରେ ଗୋଟାଏ ବୁଦ୍ଧି କଲେ । ନିଜ ଦେହରୁ ଜାମା ଓ ମୁଣ୍ଡରୁ ଟୋପିଟି କାଢ଼ି ପକାଇଲେ । ବନ୍ଧୁକ ଦେହରେ ଜାମା ଓ ଅଗରେ ଟୋପିଟି ପିନ୍ଧାଇ ଦେଇ ତାକୁ ଦୁଇ ହାତରେ ଉପରକୁ ଟେକି ଧଇଲେ । ସେ ନିଜେ ସେଠାରେ ମୁହଁମାଡ଼ି ଶୋଇପଡ଼ିଲେ ।

 

ସିଂହ ସେ ଟୋପି ଓ ଜାମାକୁ ଦେଖି ମଣିଷ ବୋଲି ଭାବିଲା । ତାକୁ ଲକ୍ଷ୍ୟକରି ଖଣ୍ଡଦୂରରୁ ଖୁବ୍‍ ଜୋରରେ କୁଦା ମାରିଲା । ସେହି କୁଦାରେ ଆଖିର ପଲକ ମାତ୍ରକେ ବନ୍ଧୁକ ସହ ସେ ଯାଇ ଆଗରେ ଥିବା ଖାଲ ଭିତରେ ପଡ଼ିଗଲା । ଗୋଟାଏ ଭାରୀ ଜିନିଷ ପଡ଼ିବାଭଳି ଯାହା ଶବ୍ଦ ହେଲା, ସେତିକି–ସିଂହର ଆଉ ପତ୍ତା ମିଳିଲା ନାହିଁ ।

 

ସାହେବ ଉଠି ନିଜ ତମ୍ବୁକୁ ଫେରିଆସିଲେ ।

 

(୮)

 

ଭୀମସିଂହ ବିଗୁଲଦ।ର । ସୈନ୍ୟଫଉଜରେ ରହି ବିଗୁଲ୍‍ ବଜାଇବା ତା’ର କାମ ।

 

ଥରେ ସୈନ୍ୟଫଉଜଙ୍କ ତମ୍ବୁ ଗୋଟାଏ ବଣ ପାଖରେ ପଡ଼ିଲା । ସୈନ୍ୟମାନେ ଖାଇପିଇ ତମ୍ବୁ ଭିତରେ ଖେଳରେ ଲାଗିଗଲେ । ଭୀମ ସିଂହ ତାଙ୍କ ସଙ୍ଗରେ ନ ରହି ଏକାକୀ ବଣ ଭିତରକୁ ଚାଲିଗଲା । ଗୋଟିଏ ସୁବିଧା ଜାଗାରେ ବସି ମନଇଚ୍ଛା ମଦ ପିଇଲା । ଶେଷକୁ ତା’ର ଆଉ ଚେତା ରହିଲା ନାହିଁ ।

 

ସେହି ସମୟରେ ଗୋଟାଏ ବଡ଼ ସିଂହ ଆସି ସେଠାରେ ପହଞ୍ଚିଲା । ସେ ଶିକାର ଖୋଜି ବାହାରିଥିଲା । ବେଶୀ ବାଟ ଯିବାକୁ ପଡ଼ିଲା ନାହିଁ କି କିଛି ପରିଶ୍ରମ କରିବାକୁ ହେଲା ନାହିଁ-। ସିଂହ ଦେଖିଲା, ତା’ ଆଗରେ ଗୋଟିଏ ବେଶ୍‍ ମୋଟାସୋଟା ଆହାର । ସିଂହର ଫୁର୍ତ୍ତି ଆଉ ଦେଖେ କିଏ ?

 

ଭୀମ ସିଂହ ମଦନିଶାରେ ସେଠାରେ ପଡ଼ି ରହି ଢୁଳାଉଥିଲା । ସିଂହ ତା’ ପିଠିରୁ କାମୁଡ଼ି ଧରି ନିଜ ଘରକୁ ଚାଲିଗଲା । ସିଂହ ଦାନ୍ତ ପିଠିରେ ଫୁଟିଯିବାକୁ ଭୀମସିଂହର ନିଶା ଛାଡ଼ିଗଲା । ତା’ର ସୁଖ ସ୍ୱପ୍ନ ଭାଙ୍ଗିଗଲା । ସେ ବୁଝିପାରିଲା, ସିଂହ ତାକୁ କାମୁଡ଼ି ଧରି ବଣ ଭିତରକୁ ଘୋଷାରି ନେଉଛି ।

 

ପାଖରେ ଖଣ୍ଡେ ହେଲେ ଛୁରା ନାହିଁ । ତା’ ମନେ ପଡ଼ିଗଲା, ବିଗୁଲାଟା ଅଣ୍ଟାରେ ବନ୍ଧା ହୋଇଛି । ସେ ଆସ୍ତେ ହାତରେ ବିଗୁଲଟି ଧରି ମୁହଁରେ ଲଗାଇ ଫୁଙ୍କିଲା–ଭୁଁ ପୁଁ, ଭୁଁ ପୁଁ, ଭୁଁ ପୁଁ ।

 

ସିଂହ ଚମକିପଡ଼ି ପାଟିରୁ ଶିକାରକୁ ଛାଡ଼ିଦେଲା । ଏ ପୁଣି କଅଣରେ ବାବା ! ଭୀମସିଂହ ଦେଖିଲା, ବିଗୁଲ ଫୁଙ୍କା ବେଶ୍‍ କାମ ଦେଉଚି । ତେଣୁ ସେ ଖୁବ୍‍ ଜୋରରେ ତାହା ଫୁଙ୍କିବାରେ ଲାଗିଗଲା । ସିଂହ ସେଥିରେ ଛାନିଆ ।

 

ସିଂହ ମୁହୂର୍ତ୍ତେ ତା’ ଆଡ଼କୁ ଚାହିଁ ଠିଆ ହେଲା । ତା’ପରେ କଅଣ ଭାବି–ଦେ ଦଉଡ଼ । ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ବିଗୁଲ ଶବ୍ଦ ଶୁଣି ତମ୍ବୁରୁ ସୈନ୍ୟମାନେ ସେଠାକୁ ଦଉଡ଼ିଆସିଲେ । ଭୀମସିଂହର ଅବସ୍ଥା ଦେଖି ଆଉ ତା’ଠାରୁ ସିଂହ କଥା ଶୁଣି ଖୁବ୍‍ ଜୋରରେ ହସିଉଠିଲେ । ତାକୁ ଧରାଧରି କରି ତମ୍ବୁକୁ ଆଣିଲେ ।

Image